ସ୍ଵପ୍ନ ବିଥିକା
ସ୍ଵପ୍ନ ବିଥିକା
ଚୋରା ଚଇତାଳି
ଶୁଖିଲା ପତ୍ରରେ ବଜାଇ ତାଳି
ବହିଲାଣି ଥିରି ଥିରି
ବସନ୍ତ ମଧୁମାସ
ବୁଲି ଆସିବାର ଖବର
କହିଲାଣି ଶିରି ଶିରି
ପତ୍ରଝଡାଗ୍ରସ୍ତ ମହିରୁହ
କଂକାଳପ୍ରାୟ ଦେହମୁଁହ
ସବୁ ଶୁଣି ଏ ଶୁଭ ବାରତା
କଅଁଳ ପତ୍ର ପଲ୍ଲବ
ଆମ୍ବ ବଉଳର ବାସ୍ନା ଉତ୍ସବ
ଜାତି ଜାତିକା ଫୁଲ ଫୁଟିବ
ଧରଣୀ ପୂଜିବ ଏ ବସନ୍ତ ଭ୍ରାତା
ଆମ୍ବ ଗଛରେ କୋଇଲି ଡେଇଁ
କୁହୁ କୁହୁ ଗୀତ ଗାଇ ଶୁଣେଇ
କୃଷ୍ଣଚୁଡ଼ାର ନାଲି ଓଠରେ
ହସ ଉକୁଟିଲାଣି ମୀତଣି ରାଇ
କୁଳୁକୁଳୁ ନାଦିନୀ ଝରଣା ରାଣୀ
ପକ୍ଷୀ କାକଳୀରେ ତନୁମନ ହରଇ
ନୂଆ ସର୍ଜନା ଦେଖ ନବ ଅଙ୍କୁର
ପାଦପଗଣ ପିନ୍ଧିଲେଣି ସାଗୁଆ ଅମ୍ବର
ଆଗାମୀ କାଳିର ଆଶା କଳିକା
ଗଜରୁଛି ପତ୍ର ଗହଳେ ସ୍ୱପ୍ନ ବିଥିକା
ପେଛା ପେଛା ଫୁଲ ହସୁଛନ୍ତି ଖିଲି ଖିଲି
ବସନ୍ତ ଋତୁରେ ବିତରନ୍ତି ସୁଧାମୃତ ଖୋଲି
