ସଞ୍ଜର ଓଢଣୀ
ସଞ୍ଜର ଓଢଣୀ
ସଞ୍ଜର ଓଢଣୀ ତଳେ ଜଳୁଥାଏ
ଆତ୍ମାର ପ୍ରଦୀପ,
ରାତି ଏଠି ବିବସନା ହୁଏ
ଜଳିଯାଏ ଅନ୍ତହୀନ ସ୍ୱପ୍ନର ନୀରବ ସଂଳାପ।
ଓଢଣୀର ମର୍ଯ୍ୟାଦା ଭାଙ୍ଗେ
ଗାଢ଼ ହେଲେ ପାପର ଅନ୍ଧାର,
ଭାର ବଢିବା ଆଗରୁ
ପାହିଯାଏ ରାତି ଦିଶେ ସକାଳର ଛଳ।
ଜହ୍ନ ବି ନିଇତି ଆସେ
ତାରାଙ୍କର ପଟୁଆର ନେଇ
ଉଧାର ଆଲୁଅର ଅହଙ୍କାର ସାଥେ,
ତାର ବା କି ଯାଏ ଆସେ
ବିକ୍ରି ହେଉ କେଉଁ ବାଧ୍ୟ ଆତ୍ମା
କି ହାରିଯାଉ ସରଳିଆ ସତ୍ୟ
ମିଥ୍ୟାର ଏ ଜଟିଳ ଜୁଆରେ।
କଇଁ ଏଠି ନିତି ମରେ
ମିଛେ ଝୁରି କେଉଁ ଏକ କିମ୍ବଦନ୍ତୀ ପାଇଁ
ରାତି ଏଠି ନିତି ଆସେ
କିଛି ଅକର୍ମକୁ କବର ଦେବା ପାଇଁ।
ଓଢଣୀଟା ଜଳିଯାଏ ଏଠି
ଅନ୍ଧାରୁଆ ଅଗ୍ନି ପରୀକ୍ଷାରେ
ଧର୍ମ ସାଜେ ପଥର ଠାକୁର
ମନ୍ଦିରର ସ୍ଵର୍ଣ୍ଣ ଛାଉଣୀରେ।