ସନ୍ତୋଷେ ନଥାନ୍ତା ଟିକିଏ ଖେଦ
ସନ୍ତୋଷେ ନଥାନ୍ତା ଟିକିଏ ଖେଦ




ଶୀରି ମନ୍ଦିରକୁ ଫେରୁଛ ସାଆନ୍ତେ
ମାନବୀୟ ଲୀଳା ସାକାର କରି
ଧନ୍ୟ ବଡ଼ଦାଣ୍ଡ ଧନ୍ୟ ସେ'ସେବକ
ଧନ୍ୟ ପ୍ରଭୁ ତୁମେ ଲୀଳାବତାରୀ ||
ଅଭିମାନ ଅଙ୍କ କଷୁଛନ୍ତି ମାତ
ଗମ୍ଭୀରୀ ଭିତରେ ଦ୍ବାରକୁ କିଳି
ଭକତ ମେଳରେ ସୁଖ ବାଣ୍ଟୁଅଛ
ମୋ'ଦୁଃଖ ମୋତେ ଗଲାଣି ବଳି ||
ମହଣ ମହଣ ସୁନାର ପସରା
ତୁମଲାଗି ସିନା ହୁଏ ଭିଆଣ
ଗିରୀ ସମ ଦୁଃଖ ମଥାପରେ ମୋର
ଅନ୍ତର ବେଦନା କିବା ନଜାଣ.. ! ||
କର୍ତ୍ତବ୍ୟର ଅଙ୍କ କଷିବାକୁ ନାହିଁ
ମୋ'ପାଖେ ଖଣ୍ଡିଏ ଭଙ୍ଗା ସିଲଟ
ସତ ଆଉ ସତ୍ୟ ଦୁଇଟି ଅଲଗା
ଧନ୍ୟ ତୁମ ଦାନ ମୋର ଲଲାଟ ||
ଦୁଃଖର ଦହନେ ଜଳୁଛି ଏ'ମନ
ସତେକି ଛାଡ଼ିବ ପିଣ୍ଡୁ ପରାଣ
କୂଳ ଲଙ୍ଘି ଚାଲେ ସ୍ବପ୍ନରାଜି କେତେ
ପୂରଣ ହେବା ତ' ସାତ ସପନ ||
ଅକିଞ୍ଚନ ଅଳି ଶୁଣି ବନମାଳୀ
ଯଦି ଦେବେ ଟିକେ ଭକ୍ତି ନୈବେଦ୍ୟ
ଅଧିର ମନଟା ସନ୍ତାପ ଲଭନ୍ତା
ସନ୍ତୋଷେ ନଥାନ୍ତା ଟିକିଏ ଖେଦ ||