ସନ୍ତାନ
ସନ୍ତାନ
ତୁ ମୋ ଦୁହିତା ହେବୁ ଦୁଇକୁଳେ ହିତା
ନାମ ଦେଇଛି ଅନୁଷ୍କା
ପ୍ରଥମ ସନ୍ତାନ ତୁହି ବୋଲି ମୋର
ରଖିଛି ଅନେକ ଆଶା ।
ପ୍ରଥମ ବୋଲି ତୋ ଅନେକ ଦାୟିତ୍ୱ
ଯିବୁ ନାହିଁ କେବେ ଭୁଲି
ଗୁଣ ପ୍ରତିଭା ତୋ ବିକଶିତ କଲେ
ହସିବି ମୁଁ ମନ ଖୋଲି ।
ଅଷ୍ଟମୀ ଅଷ୍ଟମୀ ପ୍ରଥମ ଅଷ୍ଟମୀ
ପ୍ରଭୂ ଲିଙ୍ଗରାଜଙ୍କର
ଶ୍ରଦ୍ଧାରେ ଏଣ୍ଡୁରି ପିଠା ମୁଁ କରିଛି
ଦେଇ ନଡ଼ିଆ ଓ ଛେନା ପୁର ।
ହଳଦୀ ପତ୍ରର ପରି ମୋ ମାଆ
ଗୁଣ ସୁବାସିତ କରି
ପାଠ ପଢି ତୁହି ବିଦ୍ୱାନ ହୋଇବୁ
ସାଥେ ସଂସ୍କାରକୁ ଧରି ।
ଜ୍ୟଷ୍ଠ, ବୟୋଜ୍ୟଷ୍ଠ ବରିଷ୍ଠ ମାନଙ୍କୁ
ଶ୍ରେଷ୍ଠ ଆସନ ତୁ ଦେବୁ
ତାଙ୍କ ଆଦର୍ଶ ଶିକ୍ଷାକୁ ଗ୍ରହଣ କରିଲେ
ଜଗତ ଜିତା ତୁ ହେବୁ ।
ଗୁରୁମାଆ ଗୁରୁଙ୍କୁ ସମ୍ମାନ ତୁ ଦେବୁ
ହୃଦୟେ ତାଙ୍କୁ ରଖିବୁ
ତାଙ୍କ ଆଶୀର୍ବାଦ ପାଇ ତୁ ମାଆ ଲୋ
ଯଶ କୀର୍ତ୍ତୀ ଅରଜିବୁ ।
ବାପା ଭାଇଙ୍କୁ ତୁ ପର କରିବୁନି
ସ୍ନେହ ପ୍ରେମ ଦେବୁ ଢାଳି
ଭଉଣୀଙ୍କ କଥା ମାନି ଚଳୁଥିବୁ
କରିବୁନି କେବେ କଳି ।
ଜେଜେଙ୍କୁ ତୋହର ଦେଖିନାହୁଁ ସିନା
ଜେଜୀମାଆ ଭାରି ଭଲ
କଷ୍ଟ ଦେବୁ ନାହିଁ କେବେ ତାଙ୍କ ମନେ
କରୁଥିବୁ ସଦା ଗେଲ ।
ସାଙ୍ଗସାଥି ସହ କରିବୁ ନାହିଁ ଲୋ
କେବେହେଲେ ତୁ ବିବାଦ
ହେଉ ଉଚ୍ଚ ନୀଚ୍ଚ ଧନୀ କି ଗରିବ
ରଖିବୁନି ମତଭେଦ ।
ଈର୍ଷା ଘୃଣା କେବେ ରଖିବୁନି ମନେ
ଶରୀର ବୈକୁଣ୍ଠ ପୁର
ଈଶ୍ୱରଙ୍କ ଠାରୁ ବଡ଼ କେହିନାହିଁ
ପୂଜୁଥିବୁ ହରିହର ।
ନୂଆ ବସ୍ତ୍ର ଦେଇ କଳସ ବସାଇ
ଦେଉଛି ଚନ୍ଦନ ଟିପା
ଅଗ୍ର ପୂଜ୍ୟ ପ୍ରଭୂ ଶ୍ରୀଗଣେଶ ପରି
ବୁଦ୍ଧି ହେଉ ତୋର ସଫା ।
ବଡ଼ଲୋକ କେବେ ହେବା ପାଇଁ ତୁହି
ମନେ ଚିନ୍ତା ନକରିବୁ
ଭଲ ଲୋକ ଭାବେ ଗଢି ତୋଳିଥିଲେ
ସଂସାରେ ସୁଖୀ ହୋଇବୁ ।
ପ୍ରଥଷ୍ଟମୀ ରେ ତୋ ବୋଉ ତୋତେ
ଦେଉଛି ଏତିକି ଶିକ୍ଷା.
ଭାଇ ଆଉ ତୋର ଭବିଷ୍ୟତ ପାଇଁ
ପ୍ରଭୁଙ୍କୁ ମାଗୁଛି ଭିକ୍ଷା ।
ଉଜ୍ବଳ ହେଉ ତୁମରି ଜୀବନ
ସଦା ତୁମେ ସୁଖୀ ହୁଅ
ପର ଉପକାର ହେଉ ତୁମ ଲକ୍ଷ୍ୟ
ଦୁଇଜଣ ନିରୋଗ ରୁହ
ତୁମେ ଦୀର୍ଘାୟୁ ହୁଅ ।