ସଂକ୍ଷିପ୍ତେ ତୁମେ ସୁକନ୍ୟା
ସଂକ୍ଷିପ୍ତେ ତୁମେ ସୁକନ୍ୟା
ତୁମେ ମୋ' ରାତିର ରଜନୀସାରିକା
ଫୁଲରାଣୀ, ବାସମତୀ।
ଅଭିସାରିକା ମୋ' ସୁରମ୍ୟ ଶେଯର
ନିରୂପମା ମଧୁମତୀ ।।
ସୁରମ୍ୟ ଶେଯ ମୋ' ସୁବାସିତ ହୁଏ
ତୁମ ମନ୍ଦ ଆଗମନେ ।
ମନ୍ଦାକିନୀ ହୋଇ ମଳୟକୁ ନେଇ
ଫଗୁଣ ବୁଣ ସପନେ ।।
ସେଇ ଫଗୁଣ ତ ବରଷ ଦେଖେନା
ମାନେନା ଋତୁ ବା ମାସ ।
ତୁମ ପଦର ସେ ମୃଦୁ ମୃଦୁ ଛନ୍ଦେ
କରେ ନିଶାର୍ଦ୍ଧ ନିବାସ ।।
ନିଶାର୍ଦ୍ଧ ସାରିକା' ନିଶିରେ ନିଶିରେ
ନିଶିଗନ୍ଧା ନିଶାମଣି ।
ବନ୍ଦୀ ମୁଁ ବନ୍ଧନେ ସୂକ୍ଷ୍ମ ସମ୍ଭାଷଣେ
ପ୍ରିୟତମା ଶିରୋମଣି ।।
ଗବାକ୍ଷ ଫାଙ୍କରେ ଜହ୍ନ ଉଙ୍କିମାରେ
ମେଘରେ ଲୁଚାଇ ଦେହ ।
ମେଘ ପଣତ ବି ତୁମ ଛଟା ଦେଖି
ସରମିଯାଏ ତା'ମୁହଁ ।।
ସୁଖ ଶର୍ବରୀ ଗୋ ଦୁଃଖ ଛୁଏଁ ନାହିଁ
କଥା ମେଳାପୀ ମେଳାପୀ ।
ନିଦ ହଜିଯାଏ ହଜି ଛପିଯାଏ
ଓଠ ଗୋଲାପୀ ଗୋଲାପୀ ।।
ଗୋଲାପୀ ଓଠରୁ ମଧୁ ମଧୁ ହୋଇ
ଝରେ ଭାଷା, ଭାବ ପୁଷ୍ଟି ।
ଆପଣା ପଣିଆ ବଚନ ତୁମରି
ମୋହିନିଏ ସାରା ସୃଷ୍ଟି ।।
ଗୋଲାପ ଫୁଲ ତା'ପାଖୁଡା ଉଡେଇ
ସଜାଇ ଶେଯ ଯତନେ ।
ତୁମ ଆଗମନ କରେ ନିରୀକ୍ଷଣ
ନିଶିଦିନେ ପ୍ରତିକ୍ଷଣେ ।।
ଆଗୋ ମଦାଳସୀ ରୂପସୀ ଉର୍ବଶୀ
ସବୁ ଗୁଣେ ସୁନିପୁଣା ।
ଆର୍ଯ୍ୟ ନାରୀ ତୁମେ ଭାରତ ସଂସ୍କୃତି
ସମୃଦ୍ଧିରେ ବହୁଗୁଣା ।।
ସେଇଥିପାଇଁ ତ ବିଶ୍ୱ ଜନନୀ ବି
ତୁମକୁ ଦିଏ ସମ୍ମାନ !
ଆମ ଜାତି ପାଇଁ ଆମ ଦେଶ ପାଇଁ
ତୁମେ ନାରୀ ଗରୀୟାନ ।।
ହେ ନାରୀ,ନମସ୍ୟା ବିଶ୍ୱରେ ସୁଯଶା
ବନ୍ଦନୀୟ ସୁବରେଣ୍ୟା ।
ଜନନୀ,ଭଗିନୀ, ଜାୟା ସ୍ୱରୂପିଣୀ
ସଂକ୍ଷିପ୍ତେ ,ତୁମେ ସୁକନ୍ୟା ।।
ସବୁ ରୂପେ ତୁମେ ସିଦ୍ଧ,ଶୁଦ୍ଧ,ଶୁଭ୍ରା
ଲାବଣ୍ୟ,ଆର୍ଯ୍ୟ, ଭାରତୀ ।
ତୀର୍ଥ ସ୍ୱରୂପିଣୀ ବିଶ୍ୱ ବିମୋହିନୀ
ମର୍ଯ୍ୟାଦା, ମୃଣ୍ମୟୀ ମୂର୍ତ୍ତି ।।
