ସଂକ୍ଷିପ୍ତ ରାମାୟଣ (ଲଙ୍କା କାଣ୍ଡ)
ସଂକ୍ଷିପ୍ତ ରାମାୟଣ (ଲଙ୍କା କାଣ୍ଡ)


ଲଙ୍କା କୁ ଯିବାର ମନ୍ତ୍ରଣା କରନ୍ତେ
ବିଚାରିଲେ ରଘୁମଣି ।
ସର୍ବ ବାନରଙ୍କୁ ଡାକିଣ ଶ୍ରୀରାମ
କହିଲେ ଏସନ ବାଣୀ ।
ଶୁଣରେ ବାନରେ ଏହି ସମୁଦ୍ରରେ
ବାନ୍ଧିବା ଯେ ସେତୁବନ୍ଧ ।
ଏକତ୍ର ହୋଇକି ସମସ୍ତେ ମିଳିକି
କାନ୍ଧରେ ମିଶାଇ କାନ୍ଧ ।
ଲାଗିଗଲେ ସୈନ୍ୟ ବୋହିଲେ ପଥର
ହନୁ ଲେଖିଲେ ଶ୍ରୀରାମ ।
ଶ୍ରୀରାମ ଲେଖନ୍ତେ ସର୍ବ ଶିଳା ମାନ
ଭାଷେ ହୋଇ ମୂଳାୟମ ।
ସେତୁବନ୍ଧ ହେଲା ସମାପତ ଯେଣୁ
ସ୍ଥାପିଲେ ରାମେଶ୍ୱରଙ୍କୁ ।
ବନ୍ଧ ପ୍ରତିଷ୍ଠା ଯେ ନୋହିଲେ କେମନ୍ତେ
ଯିବେ ସେ ଲଙ୍କା ଗଡକୁ ।
ଏଣୁ ଶ୍ରୀରାମ ମନେ ବିଚାର କରି
ବ୍ରହ୍ମା ପୁତ୍ରଙ୍କୁ ସ୍ମରିଲେ ।
ନାରଦ ମୁନି ଯେ କ୍ଷଣକ ମଧ୍ୟରେ
ତହିଁ ଉପସ୍ଥିତ ହେଲେ ।
ନାରଦଙ୍କୁ ଦେଖି ପଚାରନ୍ତି ରାମ
ବନ୍ଧ ପ୍ରତିଷ୍ଠା ଉତ୍ସବେ ।
କାହାକୁ ଡାକିବା କିଏ ଅଛି କୁହ
ଉତ୍ତମ ବ୍ରାହ୍ମଣ ଭବେ ।
ଭିକ୍ଷା ବୃତ୍ତି ଆଉ ଦାନ ଗ୍ରହଣ ଯେ
କରିନଥିବ ଜୀବନେ ।
ଉତ୍ତମ ବ୍ରାହ୍ମଣ କିଏ ଅଛି କୁହ
ଡାକିବା ଯେ ଏହି ସ୍ଥାନେ ।
ଗୁରୁ ବଶିଷ୍ଠ ଯେ ଉତ୍ତମ ବ୍ରାହ୍ମଣ
ଆମ୍ଭ କୁଳ ପୁରୋହିତ ।
ରାଜ୍ୟ ଛାଡି ମୁହିଁ ବନବାସୀ ଯେବେ
ଡାକିବା ନୁହେଁ ଉଚ୍ଚିତ ।
ସ୍ୱର୍ଗ ପୁରୋହିତ ଛନ୍ତି ବୃହସ୍ପତି
ଦ୍ୱିତୀୟ ଉତ୍ତମ ଦ୍ଵିଜ ।
ରାବଣ ଭୟରେ ଆସିବେନି ଏଠି
କରିବାକୁ ମୋର କାର୍ଯ୍ୟ ।
ନାରଦ କହନ୍ତି ଶୁଣ ହେ ଶ୍ରୀରାମ
ଲଙ୍କାପତି ଆଉ ଜଣେ ।
ଦାନ ଭିକ୍ଷା ବୃତ୍ତି କରିନାହିଁ କେବେ
ତାଙ୍କୁ ଡାକିବାକି ଏଣେ ।
ନ୍ୟଷ୍ଟିକ ବ୍ରାହ୍ମଣ ସେହି ମଧ୍ୟ ଜଣେ
ତା ଠାରୁ ଉତ୍ତମ ନାହିଁ ।
ତାହାଙ୍କୁ ଡାକିଲେ ପ୍ରତିଷ୍ଠା ହୋଇବ
ଲଙ୍କା ଯିବ ରଘୁସାଇଁ ।
ଶ୍ରୀରାମ କହନ୍ତି ଶୁଣ ହେ ନାରଦ
କେମନ୍ତେ ଆସିବ ସେହି ।
ସୀତାଙ୍କୁ ମୋହର ଚୋରେଇ ନେଇଛି
ଏକଥା କି ଜାଣ ନାହିଁ ।
ତିନି ବେଳେ ତିନି କର୍ମ ସେ କରଇ
ନୁହେଁ ସେ ଅସୁର ପୁଣ ।
ପ୍ରାତଃ କାଳେ ଯେବେ ସମୁଦ୍ର ଗର୍ଭରେ
କରଇ ସେହୁ ତର୍ପଣ ।
ସେ ସମୟେ ଯେବେ ଡାକିବା ହେ ପ୍ରଭୁ
ମନା ସେ କରିବ ନାହିଁ ।
ମନା ସେ କରିଲେ ବ୍ରାହ୍ମଣ କର୍ମରେ
କଳଙ୍କ ଲାଗିବ ଯାଇ ।
ପ୍ରାତେ ବ୍ରହ୍ମ କର୍ମ ମଧ୍ୟାହ୍ନେ କ୍ଷତ୍ରିୟ
ରାତ୍ରେ କରେ ସୁରା ପାନ ।
ତିନିବେଳେ ତିନି କର୍ମ କରେ ସିଏ
ଏକଥା ସତ୍ୟ ପ୍ରମାଣ ।
ତାହା ଶୁଣି ରାମ ଲେଖିଲେ ଚିଟାଉ
ଶୁଣ ଆହେ ଲଙ୍କାରାଣ ।
ପ୍ରତିଷ୍ଠା କାର୍ଯ୍ୟରେ ପୁରୋହିତ ରୂପେ
କରୁଛି ମୁହିଁ ବରଣ ।
ସହଜେ ମୁଁ ଏଠି ବନବାସୀ ଯେବେ
ମୋଠାରେ କିଛି ତ ନାହିଁ ।
ଯାହା ଆବଶ୍ୟକ ଗୋଟି ଗୋଟି କରି
ଆଣିବ ହେ ଲଙ୍କାସାଇଁ ।
ସେ ଚିଟାଉ ଧରି ନାରଦ ମହର୍ଷି
ଗଲେ ଲଙ୍କାପୁର ଜାଣ ।
ଏମନ୍ତ ସମୟେ ଲଙ୍କାର ରାବଣ
କରୁଥିଲା ଟି ତର୍ପଣ ।
ରାବଣ କୁ ଦେଇ ଚିଟାଉ ଖଣ୍ଡିକ
କହିଲେ ନାରଦ ଋଷି ।
ରାମ ନାରାୟଣ ତୁମ୍ଭେ ନିମନ୍ତ୍ରଣ
କରନ୍ତି ବିଶ୍ରବାବତ୍ସୀ ।
ଚିଟାଉ ପଢିଲା ବିଶ୍ରବାର ବଳା
ମନେ ମନେ ବିଚାରଇ ।
ଅଦ୍ଭୁତ ବେଳାରେ ନାରଦ ଆସିଣ
ଚିଟାଉ ଟି ଦେଲେ ଦେଇ ।
ଅବଶ୍ୟ ଯିବି ମୁଁ ପ୍ରତିଷ୍ଠା ପାଇଁ କି
ବ୍ରାହ୍ମଣ ହୋଇ ସେଠାର ।
ଆବଶ୍ୟକ ସବୁ ଦ୍ରବ୍ୟ ମାନ ମୁହିଁ
ନେବାକୁ ହେବ ସଙ୍ଗର ।
ବ୍ରାହ୍ମଣ ଯେବେ ନ ଯିବ ଯଜମାନ
ନିମନ୍ତ୍ରଣ ରକ୍ଷା କରି ।
ବ୍ରାହ୍ମଣ କର୍ମରେ କଳଙ୍କ ଲାଗିବ
ଅନିଷ୍ଠ କରିବେ ହରି ।
ଅବଶ୍ୟ ଯିବି ମୁଁ ରାମ କାର୍ଯ୍ୟକରି
ଆବଶ୍ୟକ ଦ୍ରବ୍ୟ ମାନ ।
ସୀତାଙ୍କୁ ଅବଶ୍ୟ ସଙ୍ଗତରେ ନେବି
ନହେଲେ ନୋହିବ ପୁର୍ଣ୍ଣ ।
ତହୁଁ ଚଳିଗଲା ଅଶୋକ ବନକୁ
ପ୍ରତିଷ୍ଠା କୁ ଯିବାପାଇଁ ।
ସୀତାଙ୍କୁ କହଇ ମୋ ସାଥେ ଯିବଟି
ଶୁଣ ଆହେ ମହାମାୟୀ ।
ସେତୁବନ୍ଧ ସେଠି ପ୍ରତିଷ୍ଠା କରିବେ
ତୁମ୍ଭ ସ୍ୱାମୀ ରଘୁରାଣ ।
ମୋର ସାଥେ ତୁମ୍ଭେ ସେଠାକୁ ନ ଗଲେ
ପ୍ରତିଷ୍ଠା ନୋହିବ ଜାଣ ।
ସତ୍ୟ କରି ଯିବ ଦେବୀ ମୋ ସାଥିରେ
ବନ୍ଧ ପ୍ରତିଷ୍ଠାର ପାଇଁ ।
ପ୍ରତିଷ୍ଠା ସରିଲେ ମୋ ସାଥେ ଆସିବ
କଥା ଦିଅ ଦେବୀ ତୁହି ।
ଜାନକୀ କହନ୍ତି ଶୁଣ ଲଙ୍କାପତି
ତୁହି ଯେ ପର ପୁରୁଷ ।
ତୋର ସାଥେ ଗଲେ ସତିତ୍ୱ ମୋ ଯିବ
ଧର୍ମ ମୋ ହୋଇବ ନାଶ ।
ଏପରି ଭାବରେ ନେବି ଗୋ ଜନନୀ
ଅଙ୍ଗ ନୋହିବ ଟି କ୍ଷୁର୍ଣ୍ଣ ।
ପତୀବ୍ରତା ଧର୍ମ ନାଶ ନ ହୋଇବ
ଶୁଣ ଦେଇ ମନ କର୍ଣ୍ଣ ।
ବ୍ରହ୍ମାଙ୍କର ମୁହିଁ ଚତୁର୍ଥ ପୁରୁଷ
ବ୍ରାହ୍ମଣ ଭାବେ ବିଖ୍ୟାତ ।
ବ୍ରାହ୍ମଣ ରକ୍ତ ମୋ ଦେହେ ଅଛି ରହି
ଦକ୍ଷିଣ ହସ୍ତ ମୋ ତୀର୍ଥ ।
ଗଙ୍ଗା ଯମୁନା ଓ ଗୋଦାବରୀ ସିନ୍ଧୁ
ଅନାମିକା ତୀର୍ଥ ତହିଁ ।
ହସ୍ତ ମଧ୍ୟେ ମୋର ଅନନ୍ତ ସାଗର
ତହିଁରେ ମୁହିଁ ନେବଇଁ ।
ରାବଣ ଦକ୍ଷିଣ ହସ୍ତେ ବସିଲେ ଯେ
ଜନକ କୁମାରୀ ସୀତା ।
କ୍ଷଣକ ମଧ୍ୟରେ ପ୍ରବେଶ ହୋଇଲେ
ବନ୍ଧ ହୋଇଲା ପ୍ରତିଷ୍ଠା ।
ରାମେଶ୍ୱରଙ୍କୁ ଯେ ପ୍ରତିଷ୍ଠା କରିଲା
ପ୍ରସନ୍ନ ହୋଇଲେ ହର ।
କଣ ଅଛି ତୋର ମାନସିକ କୁହ
ପୁରିବ ବାଞ୍ଛା ତୋହର ।
ରାବଣ କହଇ ନୁହେଁ କର୍ତ୍ତା ମୁହିଁ
ଆସିଛି ବ୍ରାହ୍ମଣ ହୋଇ ।
ଯାହା ବର ଦେବ ଜଯମାନେ ଦିଅ
ଆହେ ସେତୁବନ୍ଧ ସାଇଁ ।
ରାମ ମନୋବାଞ୍ଛା ରାବଣକୁ ବଦ୍ଧି
ସୀତାଙ୍କୁ ଆଣିବା ଆଶେ ।
ପୁର୍ଣ୍ଣ ହେଉ ବୋଲି କହି ରାମେଶ୍ୱର
ନିମିଷେ ଗଲେ ଅଦୃଶ୍ୟେ ।
ଶ୍ରୀରାମ କୁହନ୍ତି ରାବଣ କୁ ଚାହିଁ
କିଛି ତ ମୋ ପାଖେ ନାହିଁ ।
ବ୍ରାହ୍ମଣ କର୍ମର ଦକ୍ଷିଣା ମାଗ ହେ
ନିଶ୍ଚେ ପୁର୍ଣ୍ଣ କରିବଇଁ ।
ଦୁଇଟି କଥା ତ ଦେବିନାହିଁ ମୁହିଁ
ପ୍ରଥମଟି ହେଲା ସୀତା ।
ଦ୍ଵିତୀୟ ଟି ହେ
ଲା ସ୍ବର୍ଣ୍ଣମୟ ଲଙ୍କା
ବିଭୀଷଣେ ଦେଇ କଥା ।
ବେନି ହସ୍ତ ଯୋଡି କହେ ଲଙ୍କାସାଇଁ
ଏ ସବୁ କି କାର୍ଯ୍ୟ ମୋର ।
ଦକ୍ଷିଣା ଭାବରେ କ୍ଷେପଣ କର ହେ
ବ୍ରହ୍ମ ଶର ଯଥାଶୀଘ୍ର ।
ଅସୁର ଜନ୍ମରୁ ଉଦ୍ଧରିବ ବୋଲି
ଆଣିଛି ଜନକ ସୂତା ।
ସେଇଥି ପାଇଁ ତ ରାଜପୁର ଛାଡି
ଅଶୋକ ବନେ ସ୍ଥପିତା ।
ଉଦ୍ଧାରିବି ବୋଲି କଥା ଦେଲେ ପ୍ରଭୁ
ଦୁର୍ବାଦଳ ଶାନ୍ତମୂର୍ତ୍ତି ।
ତୁରନ୍ତ ସେଠାରୁ ସୀତାଙ୍କୁ ନେଇଣ
ଚାଲିଗଲା ଲଙ୍କାପତି ।
ସେତୁବନ୍ଧ ଯେବେ ପ୍ରତିଷ୍ଠା ହୋଇଲା
ସର୍ବ ସୈନ୍ୟ ଏକ ହୋଇ ।
ପାରି ହୋଇ ସର୍ବେ ସୁବଳ ଗିରୀରେ
ଡେରା ପକାଇଲେ ଯାଇ ।
ଏମନ୍ତ ସମ୍ବାଦ ପାଇଣ ରାବଣ
ଅତ୍ୟନ୍ତ ବ୍ୟାକୁଳ ହୋଇ ।
ରାଣୀ ମନ୍ଦୋଦରୀ ଅନେକ ବୁଝାନ୍ତି
ସୀତା ସମର୍ପିବା ପାଇଁ ।
ରାମଚନ୍ଦ୍ରଙ୍କର ଦୂତ ଯେ ଅଙ୍ଗଦ
ଲଙ୍କା କୁ ପ୍ରେରଣ କଲେ ।
ସୀତା ସମର୍ପିଣ ପଶରେ ଶରଣ
ବୋଲି ଅଙ୍ଗଦ କହିଲେ ।
ମନ୍ଦ ବୁଦ୍ଧିକରି ସେ ଲଂକାଶିରୀ
ଅଙ୍ଗଦଙ୍କୁ ଧିକ୍କାରିଲା ।
ରାବଣର ଛତ୍ର ଭାଙ୍ଗିଣ ଅଙ୍ଗଦ
ରାମ ପାଶେ ଫେରିଗଲା ।
ରାଗେ ଜରଜର ସେଯେ ଲଙ୍କାଶିର
ଡାକି କହେ ଇନ୍ଦ୍ରଜିତ ।
କାଲିର ପ୍ରଭାତୁ ଯିବ ରଣଭୂଇଁ
ହୁଅ ରେ ତୁହି ପ୍ରସ୍ତୁତ ।
ପ୍ରଭାତୁ ଉଠିଣ ମେଘନ୍ନାଦ ବୀର
ଯୁଦ୍ଧେ ହେଲା ଅଗ୍ରସର ।
ମେଘନ୍ନାଦ ଶକ୍ତି ପ୍ରହାରେ ଲକ୍ଷ୍ମଣ
ମୂର୍ଚ୍ଛା ଗଲେ ସେ ଭୂଇଁର ।
ସୁଷେଣ ବୈଦ୍ୟଙ୍କୁ ରାଇଣ କହନ୍ତି
କର ଶୀଘ୍ର ଉପଚାର ।
ସୁଷେଣ କହନ୍ତି ସଂଜୀବନି ଆଣ
ରାତ୍ରୀ ପହିବା ଆଗର ।
ଶ୍ରୀରାମ କହନ୍ତି ଶୁଣ ହନୁମାନ
ତୁମ୍ଭେ ଯାଅ ବେଗ କରି ।
ଗନ୍ଧମାର୍ଦ୍ଧନରୁ ସଂଜୀବନି ଆଣ
ପହିବା ଆଗରୁ ରାତ୍ରୀ ।
ରାମ ନାମ ସ୍ମରି ଚଳେ ହନୁମାନ
ଆକାଶ ମାର୍ଗରେ ସିଧା ।
ରାବଣ ସଂଦେଶ ପାଇ କାଳନେମୀ
ହନୁମାନେ ଦିଏ ବାଧା ।
କାଳନେମୀ ମାରି ସଂଜୀବନି ଆଶେ
ଚଳିଲେ ଗନ୍ଧମାର୍ଦ୍ଧନେ ।
ନ ଚିହ୍ନି ଔଷଧ ଗନ୍ଧମାର୍ଦ୍ଧନକୁ
ବୋହି ଉଡଇ ପବନେ ।
ଆସିବା ପଥରେ ଦେଖିଲେ ଭରତ
ଆକାଶେ ଉଡେ ଦୁର୍ବୁତ୍ତ ।
ପ୍ରହାରିଲେ ବାଣ ମୂର୍ଛିତ ପାବନୀ
ଓହ୍ଲାଇଲେ ହନୁମନ୍ତ ।
କହେ ହନୁମାନ ରାମଙ୍କ ଦାସ ମୁଁ
ଲକ୍ଷ୍ମଣ ମୂର୍ଛିତ ତହିଁ ।
ଯୁଦ୍ଧଭୂମି ଯାଇ ତାଙ୍କ ଉପଚାର
ତୁରନ୍ତ କରିବା ପାଇଁ ।
ରାତି ରାତି ମୁହିଁ ଆସିଛି ଏ ଆଶେ
ଗନ୍ଧମାର୍ଦ୍ଧନ କୁ ବୋହି ।
ଶୀଘ୍ର ଉପଚାର ସାରି ମୁଁ ଫେରିବି
ନ ଯିବଟି ରାତ୍ରୀ ପାହି ।
ଆଉ ଏକ ବାଣେ ବସାଇ ଭରତ
ପ୍ରେରିଲେ ହନୁକୁ ଲଙ୍କା ।
ଯାଅ ହେ ତୁରିତ ସୁସ୍ଥ ହେଉ ଭ୍ରାତ
ନକରି ମନରେ ଶଙ୍କା ।
ଅଧିର ହୁଅନ୍ତି ପ୍ରଭୁ ରଘୁବତ୍ସି
ଲକ୍ଷ୍ମଣଙ୍କୁ କୋଳେ ଧରି ।
ପ୍ରବେଶିଣ ହନୁ ତ୍ୱରିତେ ସେଠାରେ
ରାମଙ୍କ ନାମକୁ ସ୍ମରୀ ।
ଖୋଜି ସଂଜୀବନି ସୁଷେଣ ଯତନେ
ଲକ୍ଷ୍ମଣେ ପ୍ରୟୋଗ କଲେ ।
ଆଖିପତା ମେଲି ଦୁଇ ବାହୁ ତୋଳି
ଲକ୍ଷ୍ମଣ ତହୁଁ ଉଠିଲେ ।
ତହୁଁ ଲଙ୍କାରାଣ ସୈନ୍ୟକୁ ରାଇଣ
କୁମ୍ଭକର୍ଣ୍ଣେ ଉଠାଇଲା ।
ବୀର କୁମ୍ଭକର୍ଣ୍ଣ ଅନେକ ଧିକ୍କାରି
ସୀତା ସମର୍ପି ବୋଇଲା ।
କୁମ୍ଭକର୍ଣ୍ଣ ବାଣୀ ଶୁଣି ଲଙ୍କାପାଣି
ବିସ୍ମୟ ହୋଇଲା ମନେ ।
ଶୁଣି କୁମ୍ଭକର୍ଣ୍ଣ ହେଲା ଅଗ୍ରସର
ଯୁଦ୍ଧ କୁ ଗଲା ସଇନ୍ୟେ।
ଶ୍ରୀରାମ ମାଇଲେ ବୀର କୁମ୍ଭକର୍ଣ୍ଣ
ତୁମୁଳ ଯୁଦ୍ଧରେ ତହିଁ ।
କହେ ଲଙ୍କାସାଇଁ ମେଘନ୍ନାଦେ ରାଇ
କାଲି ଯିବୁ ଯୁଦ୍ଧ ଭୂଇଁ ।
ତହୁଁ ପରଦିନ ବୀର ଇନ୍ଦ୍ରଜିତ
ନିକୁମ୍ଭୀଳା ଯଜ୍ଞ କରି ।
ସୈନ୍ୟ ସାମନ୍ତଙ୍କ ସହିତରେ ଗଲା
ଯୁଦ୍ଧ ଭୂମିକୁ ବାହାରି ।
ଲକ୍ଷ୍ମଣ ସହିତେ ବୀର ଇନ୍ଦ୍ରଜିତ
କରିଲାକ ଘୋର ରଣ ।
ସମର ଭୁଇଁରେ ଲୋଟାଇଲେ ତାକୁ
ଶ୍ରୀରଘୁନାଥଙ୍କ ସାନ ।
ଏସନ ଶୁଣିଣ ମନେ ଲଙ୍କାରାଣ
ମହା ଧୈର୍ଯ୍ୟହରା ହୋଇ ।
ମନେ ବିଚାରିଲା କାଲି ରଣଭୂଇଁ
ନିଜେ ଯିବ ଲଙ୍କସାଇଁ ।
ପୂଜାପାଠ କରି ସେ ଲଙ୍କାଦେବୀଙ୍କୁ
ମହା ପ୍ରସନ୍ନ କରିଲା ।
ପ୍ରସନ୍ନ ହୋଇଣ ଲଙ୍କାଦେବୀ ତାକୁ
ଘୋର ଅଭିଶାପ ଦେଲା ।
ଶ୍ରୀରାମ ଠାକୁର ସୀତା ଠାକୁରାଣୀ
ଜାଣୁନା କିରେ ପାମର ।
କାଲି ଯୁଦ୍ଧେ ନାଶ ହୋଇବୁ ଅବଶ୍ୟ
ମୋ କଥାକୁ ହେଜାକର ।
ଅନେକ ପ୍ରବୋଦ୍ଧି କହେ ମନ୍ଦୋଦରୀ
ଏବେ ବି ଅଛି ସମୟ ।
ସୀତା ସମର୍ପିଣ ପଶ ଯା ଶରଣ
ନ ରଖି ମନେ ସଂଶୟ ।
ରାମ ନାରାୟଣ ଅବଶ୍ୟ କ୍ଷମିବେ
ବଞ୍ଚିଯିବୁ ଲଙ୍କାସାଇଁ ।
ନ ହେଲେ ଯୁଦ୍ଧରେ ରାମ ନାରାୟଣ
ଦେବେ ଯମେ ପଠିଆଇ ।
କୋପଭର ହୋଇ କହେ ଲଙ୍କାସାଇଁ
ଧିକ ତୋ ନାରୀ ଜନମ ।
ଅବଶ୍ୟ ଯିବି ମୁଁ ସେ ରଣ ଭୁଇଁରେ
ମାରିବି ଲକ୍ଷ୍ମଣ ରାମ ।
ସମସ୍ତ ସଇନ୍ୟ ଧରି ଲଙ୍କାରାଣ
ଗଲା ସେ ରଣ ଭୁଇଁକୁ ।
ଯୁଦ୍ଧ ଆରମ୍ଭିଲା ଶ୍ରୀରାମ ସଙ୍ଗତେ
ଆଗରେ ରଖି ରଥକୁ ।
ଘୋର ଯୁଦ୍ଧ କଲେ ରାମ ଓ ରାବଣ
ସେ ଦିନ ଯୁଦ୍ଧ ଭୁଇଁରେ ।
ପରିଶେଷେ ରାମ ବ୍ରହ୍ମ ଶର ମାରି
ଲୋଟାଇ ଦେଲେ ଭୁଇଁରେ ।
ମହା ଶୋକ ଭରେ ମନ୍ଦୋଦରୀ ରାଣୀ
ସମର ଭୂଇଁ ରେ ଆସି ।
ରୋଦନ କରନ୍ତେ ବିଭୀଷଣ ମଧ୍ୟ
ରୋଦନ କରନ୍ତି ବସି ।
ବିଧିର ବିଧାନ ଅବଶ୍ୟ ଘଟିବ
ଯାହା ଲେଖିଛି କପାଳେ ।
ବିଭୀଷଣେ ମନ୍ଦୋଦରୀ ରାଣୀ ସାଥେ
ଅଭିଷେକ କରାଇଲେ ।
ରାଜା ବିଭୀଷଣେ ଶ୍ରୀରାମ ଲକ୍ଷ୍ମଣେ
ପୁଷ୍ପକ ବିମାନେ ନେଇ ।
ବାନର ସଙ୍ଗତେ ଅଯୋଧ୍ୟା ଆସିଲେ
ସଙ୍ଗେ ଧରି ମହମାୟୀ ।
ଲଙ୍କା କାଣ୍ଡର ଚରିତ ଏଠାରେ
ସମାପନ ଯେ ହୋଇଲା ।
ଦୋଷା ଦୋଷ ଥିଲେ କ୍ଷମା ଦେବ ପ୍ରଭୁ
ଲେଖିଛି ଯାହା ଜୁଟିଲା ।