ସନ୍ଦେହ
ସନ୍ଦେହ
କାଉଁରୀ କୋଥଳି କାଉଁରୀ ପଦ
ଅଣଲେଉଟା ସେ ରୁକୁଣା ରଥ
ମନରେ ହୋଇଲେ ଜାତ
ସମ୍ପର୍କେ ଲଗାଏ କଳଙ୍କର ଦାଗ
ସନ୍ଦେହ ନାମେ ବିଖ୍ୟାତ ।
ଦେଖି ହୁଏନା କି ଛୁଇଁ ହୁଏନା
ଅକଳନା ଅଟେ ତା ପରିସୀମା
ଅନୁଭବରେ କଳନା
ଧସେଇ ପଶଇ ଜୀବନରେ ସେହି
ପଶିଲେ ଛାଡି ଯାଏନା ।
ରକ୍ତରେ ରକ୍ତରେ ପକାଏ ବାଡ
ସୃଷ୍ଟି କରଇ ସେ ଅଶାନ୍ତ ଝଡ଼
ମହାବାତ୍ୟା ଠାରୁ ବଡ
କିଛି କ୍ଷଣେ ଶାନ୍ତ ହୁଏ ମହାବାତ୍ୟା
ଥମେନି ସନ୍ଦେହ ଝଡ ।
ସ୍ଵାମୀ ଠାରୁ ସ୍ତ୍ରୀରୀ ଅଲଗା ହୁଏ
ପ୍ରେମର ପଥରେ କଣ୍ଟା ବିଛାଏ
ଭରି ଦିଏ ହାହା କାରେ
ନିଜେ ଜଳୁଥାଏ ଅନ୍ୟକୁ ଜଳାଏ
ସନ୍ଦେହର ମାୟାଜାଲେ ।
ବାପା ମାଆ କୁ ସେ ପର ସଜାଏ
ଭାଇର ଦୂର୍ଗୁଣ ଭାଇ ବି ଗାଏ
ପର କରେ ସାଙ୍ଗ ପରା
ପ୍ରେମିକ ପ୍ରେମିକା ଜୀବନରେ ଏକା
ଭରି ଦିଏ ବିଷ ଜ୍ଵାଳା ।
ସନ୍ଦେହର ଶେଷ ପାଉଁଶ ଗଦା
ବୁଝିଲା ବେଳକୁ ସବୁ ଯେ ପଦା
ତମସା ଛନ୍ନ ଜୀବନ
ଅନୂତପ୍ତ ନିଆଁ ଜଳି କରେ ଧୁଆଁ
ଜୀବନ ପାଉଁଶ ସମ ।
ସହଜ ନୁହଇ ସନ୍ଦେହ ଫାଶ
କେତେ ପରିବାର କରେ ବିନାଶ
ଆକର୍ଷେ ଦୁର୍ବଳ ମନା
ସନ୍ଦେହକୁ ଯିଏ ଶତ୍ରୁ ପଣେ ନିଏ
ସେ ହୁଏ ଜଗତେ ଜିତା ।