STORYMIRROR

DR PRASANTA KUMAR BISWAL

Inspirational

3  

DR PRASANTA KUMAR BISWAL

Inspirational

ସମୟର ଅପେକ୍ଷା

ସମୟର ଅପେକ୍ଷା

1 min
19

ତୁମେ ଭାରି ମନେ ପଡ

ପ୍ରତିଥର ସ୍ୱାଧୀନତା ଦିବସରେ ,

ଝାଡିଝୁଡି ଯେତେସବୁ ଅଳନ୍ଧୁ

ତୁମ ଫଟୋରୁ, ମାଲ୍ୟାର୍ପଣ କଲାବେଳେ ।

ଭାରି ଚକ୍ ଚକ୍ ମାରେ

ତୁମ ସତ୍ୟ ଅହିଂସାର ଅସ୍ତ୍ର 

ଜାତୀୟ ପତାକା ତଳେ, 

ସତେ ଅବା କୂଳ ଲଂଘିଯାଏ 

ଜାତୀୟତାର ଧାରା ,

ପ୍ଳାବିତ କରେ ପ୍ରତିଟି ହୃଦୟକୁ ।

ଜୀବନ୍ତ ହୋଇଉଠେ

ତ୍ୟାଗ ଆତ୍ମବଳିଦାନର ଗାଥା

ଓଜସ୍ୱିନୀ ଭାଷଣରେ ।

ମିଠାକୁ ଦେଖୁ ଦେଖୁ

ମୁହଁ ଲାଳେଇ ଗଲା ପରି, 

ବନ୍ଦେ ମାତରମ୍ ଧ୍ୱନିରେ

ମନଟା ବିଚରଣ କରେ

ଅତିନ୍ଦ୍ରୀୟ ଚେତନାରେ,

ସଂଚରିଯାଏ ଅଙ୍ଗରୁ ଅଙ୍ଗକୁ

ଏକ ସ୍ୱତନ୍ତ୍ର ଶୀହରଣରେ,

ଆଖି ଖାଲି ଦରାଣ୍ଡି ବୁଲେ

ପରିକଳ୍ପିତ ରାମରାଜ୍ୟକୁ,

ଶ୍ରେଣୀହୀନ ସମାଜକୁ,

ମାନବିକତାର ଜାହ୍ନବୀକୁ। 

ମାତ୍ର ଆଜି ବି ଅଭାବବୋଧ ହେଉଛି 

ତୁମର ଉପସ୍ଥିତି,

ମିଥ୍ୟାର ଜୁଇରେ ଏଠି ଜଳୁଛି ଗୀତା,

ପୁରୁଷୋତ୍ତମଙ୍କ ଅଭାବରେ 

ଦେବୀତୁଲ୍ୟା ନାରୀ ଭୂଲୁଣ୍ଠିତା,

ପେଟଚାଖଣ୍ଡେ ଲାଗି ପ୍ରବାସୀ ବି ହନ୍ତସନ୍ତ, 

ମହାମାରୀ, ବିପତ୍ତିର ଆଁ ଭିତରେରେ

ମାନବିକତା ଏଠି ନିଷ୍ପେସିତ।

ଅଭିନୟ ଏମାନଙ୍କୁ ବେଶ ଜଣା,

ସଭ୍ୟର ଖୋଳପା ପିନ୍ଧି

ସମାଜକୁ କରନ୍ତି ବାଟବଣା,

ନାଗଫେଣୀକୁ ସଜାଇ ପାରନ୍ତି  

ଏମାନେ ପାରିଜାତରେ, 

ଏଠି ସ୍ୱାର୍ଥ ଲାଗି 

ସିଂହ ବି ଶୃଗାଳ ହୋଇପାରେ ।

ସତୃଷ୍ଣ ନୟନରେ 

ଦଳିତ ମଣିଷ ବି ପ୍ରତୀକ୍ଷା କରିଛି,

ଆଉ ଥରେ ଆସନ୍ତନି ହେ ମହାମାନବ,

ଜାତିର ଗୌରବ,

ଦେଖିଯାଆନ୍ତ ପଶୁଙ୍କ ପ୍ରାବଲ୍ୟ

 ମଣିଷ ଅଭାବରେ,

ଏ ସମୟ ବି ଖୋଜୁଛି ତୁମର ପାଦଚିହ୍ନକୁ,

ପବନ ବି ଝୁରୁଛି,ସାର୍ଥକ ହେବାଲାଗି

ତୁମର ପ୍ରତିଭାର ସୁରଭିକୁ,

ତୁମର ସେ କୋମଳ ଆଶ୍ଳେଷରେ

ଜୀବନ୍ୟାସ ପାଆନ୍ତା,

ପଥରପାଲଟିଥିବା 

ଯେତେ ସବୁ ନୈସର୍ଗୀୟ ଚେତନା,

ପୁଣି ପରିପ୍ଳୁତ ହୁଅନ୍ତା ସୁଖର ଜୋଛନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational