ସମ୍ୟକ୍ ଅବଲୋକନ
ସମ୍ୟକ୍ ଅବଲୋକନ
ପ୍ରୌଢ଼ତ୍ବର ବାସ ଆଜି
କିଏ ଦେଲା ମୋ ଅଙ୍ଗେ ବୋଳି
ପଇଁଚ଼ାଳିଶି ବସନ୍ତର
ମାଦକତା ପାଦେ ଦେଲା ଦଳି
କ୍ଷୁର୍ଣ୍ଣ ଆଜି ମୋ ତାରୁଣ୍ୟ
ମଉଳା ମୋ ବଦନର କଳି
ମଉନ ମୋ ପ୍ରଗଳଭତା
ଦୀପଶିଖା ଲିଭେ ଜଳିଜଳି ।
ଅନ୍ତର୍ଦାହେ ଅତିଷ୍ଠ ମୁଁ
କୋହ ମୁଖୁ ପଡ଼ୁଛି ଉଛୁଳି
ବିରସ ଏ ଦେହରେ ମୋ
ଶୁଭୁନାହିଁ ମଧୁର କାକଳି
ଶ୍ରାନ୍ତ ଯୌବନର ଦୀପ୍ତି
ପ୍ରତିକୂଳ ଗଲାଣି ବଦଳି
ଗନ୍ଧ ହିନ ବାସକ ଶରୀରେ
ବୃକ୍ଷ ଚ୍ୟୁତ ମୁଁ ଏକ ଶେଫାଳି ।
କ୍ଷୁଧା ହୀନ ଭ୍ରମରୀ ମୁଁ
ମୋକ୍ଷ ପାଇଁ କରେ ଆଜି ଅଳି
ତେଜି ଷଡ଼ରିପୁ ଆଶା
ଭବସାଗରୁ ଯିବି ମୁକୁଳି
ମୃଦୁ ଶିହରଣ କାଳେ
ଜଳେ ମୁହିଁ କୁହୁଳି କୁହୁଳି
ମୁଁ ତ ଚୋରା ବସନ୍ତର ସଖୀ
ନୁହେଁ ନୁହେଁ ନିଦୟ ଚୈତାଳୀ ।
