ସମୟ
ସମୟ
ସମୟର ସ୍ରୋତ ଚାଲେ ଅବିରତ
ମାଡିମାଡି ଯାଏ ଆଗକୁ
ଆଗାମୀ ବେଳାକୁ ସ୍ୱାଗତ ଜଣାଏ
ନ ଫେରେ ସେ କେବେ ପଛକୁ।
ଅତି ବଳବାନ୍ ତାର ଲୀଳାଖେଳା
ଭାବକୁ ସଜାଏ ଭସ୍ମରେ
ସୁଖ -ଦୁଃଖ, ଭଲ- ମନ୍ଦ ଯାହା ଆସେ
ଅପେକ୍ଷା ନଥାଏ କାହାରେ।
ନ ମାନେ ସେ କେବେ କୂଳ କିବା ଥଳ
କର୍ମରେ ନ ହେଲେ ତତ୍ପର
ସମୟ ସୁଅରେ ମଣିଷ ସାଜଇ
ପଥର କି ଅବା ପତର।
ସମୟର ସ୍ରୋତେ ଲୀନ ଯେ ସମସ୍ତେ
ରହିଯାଏ ଖାଲି କୀରତି
ଅଭିନୟ ଶେଷେ ସବୁକିଛି ଶେଷ
ଛାଡି ମୋହମାୟା ପୀରତି।
ଜୀବନ ଜୀବିକା ସୁଧାରିବା ପାଇଁ
ସମୟ ସାଜଇ ଶିକ୍ଷକ
ଆମେ ସବୁ ତା'ର ହାତର ଖେଳନା
ଅନୁଭବେ ସିଏ ପୃଥକ।
ସମୟ ଅଟଇ ଅତି ମୂଲ୍ୟବାନ
ଉପଯୋଗ କର ତାହାର
ସମୟର ମୂଲ୍ୟ ବୁଝିଥାଏ ଯିଏ
ତା 'ଓଠେ ହସର ଜୁଆର ।
