ସମୟ
ସମୟ
ଅବିରତ ଘୁରୁଥାଏ
ସମୟର ପାଦ
ସଂସାରରେ ନାହିଁ ତା'ର
ସୀମା ସରହଦ ।
ସବୁଠାରୁ ବଳବାନ
ପ୍ରକୃତି ବକ୍ଷରେ
ପାରିବକି ବାନ୍ଧି ତାକୁ
କିଏ ସେ ମୁଠାରେ ?
ଅଦ୍ୱିତୀୟ ମୂକସାକ୍ଷୀ
ସକଳ ସୃଷ୍ଟିର
ଜନମରୁ ଜୁଇଯାଏଁ
ସୁଖ ଓ ଦୁଃଖର ।
ଅତୀତ,ଅଧୁନା ପୁଣି
ଭବିଷ୍ୟ ନାମରେ
ଗୂଢ ପରିଭାଷା ତା'ର
ବିଶାଳ ସଂସାରେ ।
ସମୟର ବନ୍ଧନରେ
ବନ୍ଧା ଏ ଜଗତ
ଦିନ, ମାସ, ବର୍ଷ, ଋତୁ
ତାହାଠାରୁ ଜାତ ।
ସମୟ ସହିତ ତାଳ
ଦେଇ ଚାଲେ ନର
ପ୍ରଗତିର ମୂଳମନ୍ତ୍ର
ତୋଳିଥାଏ ସ୍ୱର ।
ଅଦୃଶ୍ୟରେ ପରିବ୍ୟାପ୍ତ
ନିଶବ୍ଦ, ନିର୍ବାକ
ତଥାପି କର୍ଣ୍ଣରେ ଶୁଭେ
ନିତି ତା'ର ଡାକ ।
ସମୟର ଅଧୀନରେ
ସୃଷ୍ଟିର ରହସ୍ୟ
ଉତ୍ଥାନ, ପତ୍ତନ ଗାଥା
ଆଦ୍ୟ ଅବା ଶେଷ ।
