ସମୟ ଖେଳୁଛି ଦୋଳି
ସମୟ ଖେଳୁଛି ଦୋଳି
ତୁମେ କି ପାରିବ ସମୟକୁ ବାନ୍ଧି
ଅଦୃଶ୍ୟ ତାହାର ଶକ୍ତି
ସେ ଶକ୍ତି ବଳରେ ଧରାଶାୟୀ ହୁଏ
କେଡେ କେଡେ ମହାରଥୀ ।
ଅଭିମାନୀ ମାନ ଚୁନା ଚୁନା କରେ
କାଢି ନିଏ କୀର୍ତ୍ତି ଯଶ
ମୁଠାଏ ଦାନାରେ ଗରିବ ମୁହଁରୁ
ଝରୁ ଥାଏ ମୋତି ହସ ।
ଝଡ ରୂପେ ଆସି ଜାତି ଧର୍ମ ନାଶି
ଏକ ଛାତେ ଦିଏ ଠାବ
ଅସ୍ପୃଶ୍ୟ ଜାତିରୁ ପରମ୍ପରା ବାଦୀ
ପୟ ପାନେ ବୁଝେ ଭାବ ।
ସମୟ ଶିଖାଏ ସଭିଙ୍କ ଶରୀରେ
ଏକା ପରି ରକ୍ତ ବହେ
ହୀନମନ୍ୟତାକୁ ଆଣ ନାହିଁ ମନେ
ଏହା ଶୋଭନୀୟ ନୁହେଁ ।
ତ୍ରିଭୂବନ କିବା ବିଶ୍ଵ ଚରାଚର
କାଳ ବଳେ ଓତଃପ୍ରୋତ
ଅମଡ଼ା ବାଟରେ ମାଡ଼ି ଚାଲି ଆସେ
ପ୍ରଖର ତାହାର ସ୍ରୋତ ।
ଅପଲକ ନେତ୍ରେ ତାରା ଗଣେ ମାତା
ବାର୍ଦ୍ଧକ୍ୟରେ ଧରି ଶଯ୍ୟା
ସମୟ ଚକ୍ରରେ କାଳ କଣ୍ଠେ ଫାଶି
ଶକ୍ତିଶାଳୀ ଯମରାଜା ।
ଧରା ଦିଏ ନାହିଁ ଛୁଇଁ ହୁଏ ନାହିଁ
ଦୃଶ୍ୟ ହୁଏ ନାହିଁ କାହିଁ
ବିଜ୍ଞ ସାଧୁ ସନ୍ଥ ଜ୍ଞାନ ହଜି ଯାଏ
ପୟର ଜୁହାର ପାଇଁ ।
ଆଖିରେ ନଚାଏ ଲୋଭ ମାୟା ଛବି
ମନୁଷ୍ୟ ବାତୁଳ ହୁଏ
ତୁମ କର୍ମ ତୁମେ ଭୋଗ କର ବସି
ସମୟର କିବା ଯାଏ ।
ଏପରି ଭେଳାକୁ ଦେଖି ନାହିଁ କେହି
ନ ବସି ଭାସିବ ଜଳେ
କେବେ ସିନ୍ଧୁ ଗର୍ଭେ କେବେ ଶୁନ୍ୟ ପଥେ
ଘେନି ଯାଏ ଛଳ ବଳେ ।
