ସ୍ମୃତିର ଫରୁଆ
ସ୍ମୃତିର ଫରୁଆ
ବର୍ଷା ହୋଇ ଯେବେ ଆସିଲ ଜୀବନେ
ଭିଜାଇଲ ପ୍ଲାବନରେ।
ପ୍ରେମର ଜୁଆର ଢେଉ ଭାଙ୍ଗୁଥିଲା
ମୋ ହୃଦୟ ସାଗରରେ।
ଓଠେ ହସ ଫୁଲ ଲାଗି ରହିଥିଲା
ହୃଦୟ କୁରୁଳୁଥିଲା।
ହସଲୁହ ଲୁଚକାଳି ଖେଳୁଥିଲା
ଗହଗହ ଲାଗୁଥିଲା।
ଯେବେଠାରୁ ଗଲ ଜୀବନରୁ ମୋର
ମରୁଭୂମି ପାଲଟିଲା ।
ଫୁଟୁନାହିଁ ଆଉ ଗୋଲାପ କଢ଼ି ଟେ
ମନ ଉଦ୍ୟାନ ଉଜୁଡିଗଲା ।
ଆଜିବି ଶ୍ରାବଣ ଆଜିବି ଫଗୁଣ
ଆସୁଛି ଯାଉଛି କେତେ।
ମଳୟ ବହିଲେ ସ୍ମୃତି ଫରୁଆରେ
ପଲ୍ଲବେ ସେ ସ୍ମୃତି ଯେତେ।

