ସ୍ମୃତି
ସ୍ମୃତି
ସମୟ ନଈ ତୁଠରେ ତୋର
ଅଭୁଲା ଏକ ଗାଆଁ
ସେଇଠି ଅଛି ଘର ମୋହର
ସ୍ମୃତି ତାହାରି ନାଆଁ !! ୧
ଖଟା ମିଠା ତା' ଦରବ କେତେ
ହସାଏ ମୋତେ ନିତି
କନ୍ଦାଇ ଦିଏ ମନେ ପଡ଼ିଲେ
ଅଭୁଲା ତାହାର ପ୍ରୀତି !! ୨
ସେଇଠି ଅଛି ଖୁସି ଯେ କେତେ
ଦେଇଛି ମୁହିଁ ଛାଡ଼ି
ଭାଙ୍ଗି ଯାଇଛି କେତେ ଖେଳନା
ଡାକେ କେ ହାତ ଠାରି !! ୩
ସପନେ ଆସି କିଏ ସେ ଡାକେ
ଖେଳିବି ତା'ର ସଙ୍ଗେ
ହଜି ଯିବାକୁ ଧୂଳି ବାଲିରେ
ସଜାଇ ସାତ ରଙ୍ଗେ !! ୪
ଗାଁ ଦାଣ୍ଡର ଶୀତ ସକାଳ
ଖରା ଦିନର ସଞ୍ଜେ
ବରଷା ଦିନେ ପାଣିର ସୁଅ
ମନକୁ ମୋର ରଞ୍ଜେ !! ୫
ଶୁଭଇ ଘଣ୍ଟ ଘଣ୍ଟା ଆଳତୀ
ଭଜନ ମିଠା ବାଣୀ
ରଘୁଆ ଅଜା ଭାଗବତ ରୁ
କହୁଥାନ୍ତି କାହାଣୀ !! ୬
ମାର୍କଣ୍ଡ ଋଷି ସାତ ବରଷେ
ବେଙ୍ଗକୁ ଥିଲେ ବାନ୍ଧି
ବାନ୍ଧନ୍ତେ ଯମ ଦୂତ ତାହାଙ୍କୁ
ରଡୁ ଥିଲେ ସେ କାନ୍ଦି !! ୭
ରାମାୟଣ ଯେ ମହାଭାରତ
ସୁନ୍ଦରା ବନ କାଣ୍ଡ
କୃଷ୍ଣଙ୍କ ବାଣୀ ଗୀତାରୁ ଶୁଣି
ସାଷ୍ଟାଙ୍ଗ ପ୍ରଣିପାତ !!
ବାଳ ସୁଲଭ ହୃଦୟ ମୋର
ଯାଇଛି କାହିଁ ହଜି
ପାଉନି ସେହି ଭାବନା ମୋର
ଦେ ତୁ ମୋତେ ଖୋଜି !! ୮
ଚଢ଼େଇ ମେଳେ ଶୁଣେ ମୁଁ ଗୀତ
କାଉ କରଇ କା କା
ବୋଉ ଡାକଇ ସକାଳ ହେଲା
ଇସ୍କୁଲ ଉଠି ଯାଆ !! ୯
ଚାଟଶାଳୀର ପ୍ରଥମ ଦିନ
ଲୁଚି ମୁଁ ଥିଲି ଯାଇ
କବାଟ କୋଣ ଏବେ ବି ଅଛି
ସେଇଠି ମୋର କାହିଁ !! ୧୦
କ୍ରମଶଃ....
ଭାରତୀ
