STORYMIRROR

Bharati Prava

Others

2  

Bharati Prava

Others

ଦିଅ ହେ ବତାଇ

ଦିଅ ହେ ବତାଇ

2 mins
1.5K



ଅଖିଳ ବ୍ରହ୍ମାଣ୍ଡ ତୁମେହିଁତ ପ୍ରଭୁ

ତୁମରି କୋଳରେ ଆମେ

କେଉଁ ପଥେ ଯିବୁ ଦିଅ ହେ ବତାଇ

ପ୍ରଣାମ ତୁମ ଚରଣେ !!


ଖଞ୍ଜିଛ ବନସ୍ତ ଆମ ପାଇଁ ପ୍ରଭୁ

ନାନାଜାତି ବୃକ୍ଷଲତା

ନଦନଦୀ କେତେ ବହି ଯାଉଅଛି

ଆକାଶର ନିରବତା !!


ରାତି ଖଞ୍ଜିଅଛ ଅନ୍ଧକାରେ ତୁମେ

ଜହ୍ନକୁ ଦେଇଛ ସାଥେ

ନଭ ନୀଳିମାରେ ଦେଇଅଛ ଭରି

ସୁନ୍ଦର ନକ୍ଷତ୍ର ସାଥେ! !!


ସୂର୍ଯ୍ୟର ଲାଲିମା ଉଦୟ ଅସ୍ତରେ

ଝଟକେ ହୃଦୟ ଭରି

ଶୀତଳତା ଭରା ଚନ୍ଦ୍ରର କିରଣ

ମନ ଉଠୁଥାଏ ପୁରି !!


ଷଡ଼ ୠତୁ ସାଥେ ଶୃଙ୍ଗାର କରନ୍ତି

ଏକ ପରେ ଆସି ଆନ

ରଙ୍ଗ ଓ ସୁବାସ ଫୁଲେ ଫୁଲେ ଭରି

ମଧୁପର ମଧୁଗାନ !!


ପକ୍ଷୀ ମାନଙ୍କର କଳରବ ଧ୍ଵନି

ଘାସରେ ଶିଶିର ମୋତି

ଝଲସି ଉଠନ୍ତି ସୁନେଲି କିରଣେ

ସହୁଥାନ୍ତି ମନ ଛନ୍ଦି !!


ପବନ ତ ଘୋଳେ କାନଳେ ସଂଗୀତ

ସକାଳେ କୁକୁଡ଼ା ରାବେ

ପରିବାର ବାନ୍ଧି ଦେଇଅଛ ପ୍ରୀତି

ସୁନ୍ଦର ଏ ଧରା ଭବେ !!


ଖିଲି ଖିଲି ହସ କୁନି କୁନି ଓଠେ

ଉତ୍ସାହରେ ଯଉବନ

ବାର୍ଦ୍ଧକ୍ୟରେ ଭରା ଅନୁଭବୀ ଗୁଣେ

ସୌନ୍ଦର୍ଯ୍ୟ ତ ଭିନ୍ନ ଭିନ୍ନ !!


ସୁଉଚ୍ଚ ଶିଖର ପର୍ବତ ଗୁଡ଼ିକ

ଗଭୀରତା ସାଗରରେ

ନଦୀ ବହୁଥାଏ ପ୍ରବାହ ମାନରେ

ଝରଣା ତା' ପ୍ରପାତରେ! !!


ବନ ଉପବନେ ନାଚୁଥାନ୍ତି ବୃକ୍ଷ

ଝୁଲୁଥାନ୍ତି ଝୁମି ଝୁମି

ଲତା ଗୁଡ଼ିକର ପ୍ରେମେ ବିଭୋରତା

ବେଷ୍ଟନୀରେ ଚୁମି ଚୁମି !!


ସୁନ୍ଦରତା ନିତି ରଖିଅଛ ପ୍ରଭୁ

ନୂଆ ନୂଆ ଭରି ଦେଇ

ଦୃଷ୍ଟିରେ ବି ମୋର ଦିଅ ସୁନ୍ଦରତା

ପଥ ତ ଦିଅ ଦେଖାଇ !!


ଚାଲୁଅଛି ନିତି ପାଦ ମୋ ବଢ଼ାଇ

ତନ୍ଦ୍ରା ବିଜଡିତ ଥାଇ

ଦେଖିପାରେ ନାହିଁ ତୁମରି ସୃଷ୍ଟିର

ସୁନ୍ଦରତା କେତେ ମୁହିଁ !!


ଜାବୁଡ଼ି ଧରିଛି ହୃଦୟରେ ମୁହିଁ

ତନ୍ଦ୍ରାକୁ କରି ନିଜର

ଦେଖି ପାରୁନାହିଁ ଅସୀମ ସୌନ୍ଦର୍ଯ୍ୟ

ଅନନ୍ତର ଗନ୍ତାଘର !!


ପ୍ରକୃତିରେ କେତେ ସଂଗୀତ ଭରିଛ

ବଧିର ଶୁଣି ନ ପାରେ

ଦୃଷ୍ଟିହୀନ ମୁହିଁ ନାହିଁ ଅନ୍ତର୍ଦୁଷ୍ଟି

ଦେଖାଅ ତୁମ ସାହାରେ !!


ସମ୍ବେଦନା ମୋର ମରିଯାଇ ଅଛି

ଶୂନ୍ୟତାରେ ଯାଇ ପୁରି

କର ହେ ସୁଦୟା କରୁଣାରେ ଭରି

ଜୀବନ ଯାଉ ସୁଧୁରି !!


ଦୁନିଆର ହାଟ ବିସ୍ତୀର୍ଣ୍ଣ ପଡ଼ିଛି

ସଙ୍କିର୍ଣତା ମୋର ମନେ

ବିରାଟ ଭାବକୁ ଦେଖିପାରୁ ନାହିଁ

କ୍ଷୁଦ୍ରତା ହଟୁ ଜୀବନେ !!


କର ଆହେ ତାତ କରୁଣା ଏତିକି

ଦୃଷ୍ଟିକୁ କରି ଉଦ୍ବୁଦ୍ଧ

କୁରୂପତା ମୋର ମନରୁ ହଟାଇ

କରିଦିଅ ହେ ସମୃଦ୍ଧ !!


ଭାରତୀ ପ୍ରଭା ପଣ୍ଡା........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍