STORYMIRROR

Bharati Prava

Others

3  

Bharati Prava

Others

କେବେ ସୁଧୁରିବଚାଷୀଙ୍କ ଦୁର୍ଦ୍ଦଶା

କେବେ ସୁଧୁରିବଚାଷୀଙ୍କ ଦୁର୍ଦ୍ଦଶା

1 min
2.4K



ମୁଣ୍ଡ ଝାଳ ନେଇ ତୁଣ୍ଡରେ ମାରେ ଯେ

ଖରାରେ ବର୍ଷାରେ ଖଟେ,

ଶୀତ କାକରକୁ ଭ୍ରୁକ୍ଷେପ ନ କରି

ରାତି ଦିନ ଯାର ବିତେ !!


ପଖାଳ ତୋରାଣୀ ଖାଦ୍ୟ ଯା ତୁଣ୍ଡରେ

ଅମୃତ ପରାଏ ଲାଗେ,

ଦୁନିଆକୁ ଯିଏ ଯୋଗାଏ ଆହାର

ଛପର ଯୁଟେନା ଭାଗ୍ୟେ !!


ମଖମଲି ଶେଯ ଚାଦର ଖୋଜେନା

ସପନରେ ତାର କେବେ,

ବାସ୍ତବତା ଭରା ଜୀବନ କାହାଣୀ

ଜହ୍ନ ତାରା ସଙ୍ଗେ ବିତେ !!


ଆସିଲେ ସୁନାମି ଅବା ଫାଇଲିନ୍

ତିତିଲିର ଭୟ କେତେ,

ବୁଝିବ କିଏ ତା' ଅନ୍ତର ବେଦନା

ଜୀବନ କିପରି ବିତେ !!


ମଣ୍ଡିର ଅଭାବେ ଧାନ ବିକେ ଚାଷୀ

ଟଙ୍କାକ ଆଠଣା ମୂଲେ,

ବେପାରୀ ପୁଅଟା ଲାଭ ଖାଏ ନିତି

ଚାଷୀ ମରୁଥାଏ ବିଲେ !!


ନେତାଙ୍କର ବଢ଼େ ମହଙ୍ଗା ଭତ୍ତାଟା

ଚାକିରିଆ ହଡ଼ତାଲ୍,

ତାଙ୍କ ବିନା ପରା ଦେଶଟା ଅଚଳ

କରୁଥାନ୍ତି କେତେ ଚାଲ୍ !!


ଭୋଟ ପାଇଁ ଚାଲେ କେତେ ରାଜନୀତି

ସଭା ହୁଏ ଘନ ଘନ

ଟଙ୍କାରେ ଚାଉଳ କିଲେ ମିଳେ ଏଠି

କେଉଁଠୁ ଆସିଲା ଧନ !!


ମରୁଡ଼ି ଓ ବନ୍ୟା ବାତ୍ୟାର ଭରଣା

ଆଇନ୍ କଳରେ ପେଷି'

ପାଇବାକୁ ହେଲେ କେତେ ଫନ୍ଦି ଲୋଡ଼ା

ଚକ୍ରାନ୍ତରେ ଯାଏ ଭାସି !!


ଚାଷୀ ପାଇଁ ଏଠି ଚିନ୍ତା ନାହିଁ କାର

ଜୀବନ ସୁଧାରିବାକୁ,

କାଳେ କାଳେ ସ୍ଵପ୍ନ ଦେଖି ଆସୁଅଛି

ପଚାରିବ କିଏ ତାକୁ ???


ଭାରତୀ ପ୍ରଭା ପଣ୍ଡା, କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍