STORYMIRROR

Bharati Prava

Inspirational

3  

Bharati Prava

Inspirational

ଜୀବନ ଏକ କୁରୁକ୍ଷେତ୍ର

ଜୀବନ ଏକ କୁରୁକ୍ଷେତ୍ର

1 min
414


ଜୀବନ ଶିଖାଏ ବଞ୍ଚିବାକୁ ଏଠି

ଘାତ ପ୍ରତିଘାତ ଦେଇ

ତେଣୁ ଏ ଜୀବନ ବଞ୍ଚିରହି ଥାଏ

ଅନଳର ଶିଖା ଥାଇ ।

ପାଦେ ପାଦେ ଏଠି ପଡ଼ଇ ବିପଦ

ଆକସ୍ମିକ ଚମକରେ

ଟଳମଳ ହୁଏ ଜୀବନ ପ୍ରଦୀପ

ଘାତ ଏହି ସହିବାରେ ।

କ୍ଷଣିକ ଘାତରେ ଟଳିପଡେ ଯିଏ

ଦୁଃଖେ ହୋଇ ଅଣାୟତ

ହାର ମାନିଯାଏ ହେବାକୁ ସୈନିକ

ବନିବାକୁ ଖଣ୍ଡାୟତ ।

ବାଜେ ପ୍ରତିକ୍ଷଣ ଆହ୍ଵାନର ଭେରୀ

ରଣକ୍ଷେତ୍ର ହୋଇ ସଜ୍ଜା

ଜୀବନ ଯୁଦ୍ଧରେ ଲଢିବାକୁ ହୁଏ

ପଳାୟନେ ନାହିଁ ମଜା ।

କୁରୁକ୍ଷେତ୍ର ଏଠି ନିତି ଚାଲୁଥାଏ

ଧର୍ମ ଓ ଅଧର୍ମ ପକ୍ଷ

କୌରବ ସଜ୍ଜିତ ଲୋଭ ଓ ପିପାସା

ପାଣ୍ଡବ ନ୍ୟାୟରେ ଦକ୍ଷ ।

ଯୋଗେଶ୍ଵର କୃଷ୍ଣ ବିବେକ ରୂପରେ

ବୋଲୁଛନ୍ତି ଗୀତାବାଣୀ

ଶୁଣି ପାରିବ ଯେ ହେବ ସେ ଅର୍ଜୁନ

ଜୀବନ ନେବ ସେ ଜିଣି।

ଜିତିବାରେ ଲୟ କରି ମନେ ଥୟ

ଲଢିବା ସାହସ ବାନ୍ଧି

ହାରିବାରେ କାହିଁ ମନ ବଳାଇବା

ବିଷୟା ମାୟାରେ ଛନ୍ଦି ।

କର୍ମ ଆମ ଗୁରୁ କର୍ମ ଯେ ଈଶ୍ଵର

କର୍ମକୁ କରିବା ପୂଜା

କର୍ମ ବିନା ଏହି ଜୀବନ ସୁଅରେ

ଭୋଗିବାକୁ ହୁଏ ସଜା ।


ଭାରତୀ ପ୍ରଭା ପଣ୍ଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational