STORYMIRROR

Binodini Dash

Inspirational

3  

Binodini Dash

Inspirational

ସ୍ମୃତି

ସ୍ମୃତି

1 min
201

ସ୍ମୃତି ଏକ ସୁରଭିତ ଗୋଲାପର ପାଖୁଡ଼ା,

ସ୍ମୃତି ପୁଣି ଖସୁଥିବା ନଦୀ କୂଳ ଅତଡ଼ା।


ସ୍ମୃତି ପୁଣି ଶ୍ରାବଣର ଅବିରତ ଧାରା,

ସ୍ମୃତି ପୁଣି ନିଦାଘର ଝାଞ୍ଜି ଟାଣ ଖରା।


ସ୍ମୃତି ପାହାନ୍ତି ପ୍ରହର ସୁନେଲି ସପନ,

ବ୍ୟଥାଭରା ଅଭିଲିପି ମନର ଗହନ।


ସ୍ମୃତି ପୁଣି ବସନ୍ତର କୋକିଳ କାକଳି,

ପୁଣି କେବେ ସାଜିଥାଏ ତପ୍ତ ମରୁସ୍ଥଳୀ।


ସ୍ମୃତି କେବେ ମନୋରମ ପୂନେଇଁର ଜହ୍ନ,

କେବେ ପୁଣି କାଳିମାରେ ଭରିଥାଏ ମନ।


ସ୍ମୃତି ପୁଣି ମଧୁଝରା ସ୍ଵନ ବଇଁଶୀର,

କେବେ ସେତ ରାଗ ତୋଳେ ପୁଣି ବିରହର।


ସ୍ମୃତି କେବେ କହିଥାଏ ଦରଦୀର ଭାଷା,

କେବେ ପୁଣି ତା କଟାକ୍ଷେ ବୁଡ଼ିଯାଏ ହଂସା।


ସ୍ମୃତି କେବେ ଜୀବନରେ ଅମୃତର ଧାର,

ଲାଗେ ପୁଣି ପିଆଉଛି ମନ ଭରି ଜହର।


ସ୍ମୃତି ପୁଣି ପିନ୍ଧାଏତ ନବ ପରିଧାନ,

ଲାଗେ ପୁଣି କେବେ ସେତ କରେ ବିବସନ।


ସ୍ମୃତି ମନେ ସୌନ୍ଦର୍ଯ୍ୟର ଏକ ଗନ୍ତାଘର,

ପୁଣି କେବେ ରୋମନ୍ଥନେ ଲାଗେ କଦାକାର ।


ସ୍ମୃତି ମନେ ନନା ପୁଷ୍ପେ ସଜ୍ଜିତ ଉଦ୍ୟାନ,

ପୁଣି କଣ୍ଟା ହୋଇ କରେ ହୃଦୟ ବିଦୀର୍ଣ୍ଣ ।


ସ୍ମୃତି ତୋଳେ ମନତଳେ ଶଙ୍ଖର ନିନାଦ,

ପୁଣି ସେ ତ ବର୍ଷଣର ଘଡ଼ଘଡି ନାଦ ।


ସ୍ମୃତି ଦିଏ ହୃଦୟରେ ପ୍ରେମ ଶୀହରଣ,

ପୁଣି ନିଭୃତ କୋଣରେ ସୃଷ୍ଟେ ସେ କମ୍ପନ ।


ସ୍ମୃତି ମନ ଆକାଶରେ ଫୁଟା ସନ୍ଧ୍ୟା ତାରା,

ପୁଣି କେବେ ଖଣ୍ଡ ଖଣ୍ଡ କଳା ମେଘମାଳା ।


ସ୍ମୃତି ସେତ ପ୍ରଶାନ୍ତିର ଆଲୋକ ବର୍ତ୍ତିକା,

ପୁଣି କେବେ ରଚେ ଅଶାନ୍ତିର ବିଭୀଷିକା ।


ସ୍ମୃତି ଏକ ସୁଖ ଭରା ପୁଲକିତ କାହାଣୀ,

ପୁଣି ସେତ ହୃଦଫଟା କ୍ରନ୍ଦନର ଧ୍ୱନି ।


ସ୍ମୃତି ଆଙ୍କେ ଅଧରରେ ଦରଫୁଟା ହସ,

ପୁଣି ସେତ ଲୁହଭିଜା ଅନ୍ତର ପ୍ରକାଶ ।


ସ୍ମୃତି ତୋଳେ ପ୍ରେରଣାର ଆବାହନୀ ମନ୍ତ୍ର,

ପୁଣି କେବେ ନିରାଶାର ସେ ପ୍ରଥମ ପତ୍ର ।


ସ୍ମୃତି ମନେ ଝରୁଥିବା କୁଳୁକୁଳୁ ଝରଣା,

କେବେ ବଢ଼ି ନଦୀ ସାଜେ ନ ଥାଏ ଠିକଣା ।


ସ୍ମୃତି ମନ ସାଗରରେ ମଣି ମୁକ୍ତା ରତ୍ନ,

ପୁଣି ତାର ପରଶରେ ଲାଗେ ସବୁ ଶୂନ୍ୟ ।


ସ୍ମୃତି ମନ ଅଇନାରେ ସପ୍ତରଙ୍ଗ ଇନ୍ଦ୍ରଧନୁ,

ପୁଣି କେବେ ଫିକା ଫିକା ସଜାଏ ତା ତନୁ ।


ସ୍ମୃତି ଅଛି ରହିଥିବ ଚିରଦିନ ପାଇଁ,

ତାକୁ କେବେ ମନତଳୁ କାଢ଼ି ହେବ ନାହିଁ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational