ସ୍ମୃତି ତୁମେ ଯେବେ ଆସ
ସ୍ମୃତି ତୁମେ ଯେବେ ଆସ
ସ୍ମୃତି ତୁମେ ଯେବେ ଆସ
ମୋ ମନ ବଗିଚାକୁ ମୃଦୁ ମଳୟ ହୋଇ
ଫଗୁଣର ରଙ୍ଗ ଲାଗିଯାଏ
ଭାବନାର ପ୍ରଜାପତିମାନଙ୍କ ଡେଣାରେ,
ହସର ଫୁଲମାନେ ପୁଣି ଆଗପରି
ମହକି ଉଠନ୍ତି ମୋ ଚାରି ପାଖରେ
ପାଖୁଡା ସବୁକୁ ସତେଜ କରି
କେମିତି ଏକ ମତୁଆଲା ଢଙ୍ଗରେ।
ଅତୀତଟା ବୋଧହୁଏ ଲେଉଟି ଆସେ
କିଛି ଅଧୁରାକୁ ପୂର୍ଣ୍ଣ କରିବାର ଆଶାରେ
ଉଜାଣି ବହେ ଜୀବନ ଯମୁନା
ବର୍ତ୍ତମାନର ଘଣ୍ଟା କଣ୍ଟା ଅଟକି ରହେ,
ସେଦିନ ଗୁଡି଼କର ଅଲେଖା ଇତିହାସ
ପୃଷ୍ଠା ପୃଷ୍ଠା ମେଲି ହୁଏ ଆଖି ଆଗରେ
ନ ପଢି ବି ହୃଦୟ ବୁଝିପାରେ
ନୀରବତାରେ ସବୁ ମନ ମୋର କହେ।
ସତରେ ସ୍ମୃତି ତୁମେ ଅଭୁଲା ଅପାଶୋରା
ତୁମେ କେବେ ହଜି ଯାଇନ
କି କେବେ ବି ଛପି ରହି ନାହଁ
ବୟସର ଆଢୁରାଳେ ଅଭିମାନ କରି,
ତୁମେ ତ ଚିର ଯୁବା ସବୁଜ ସୁନ୍ଦର
ଅମଳିନ ତୁମର ଚନ୍ଦ୍ର ଉଦିଆ ମୁହଁର ଜ୍ୟୋତି
ଅପଲକରେ ରୁହ ମୋତେ ଚାହଁ
ପ୍ରାଣରେ ମୋର ପୁଲକ ଦିଅ ଭରି।
ମନ୍ତ୍ରମୁଗ୍ଧରେ କରିଦିଅ ମୋତେ ଏକାକାର
ସ୍ମୃତି ତୁମେ ଯେବେ ଆସ
ମୁଁ ହୋଇ ଯାଏଁ ସେମିତି ଏକ ଛୋଟପିଲା
ସେଇ ଅଝଟପଣ ଅବୁଝା ଜିଦ୍
ଦାଣ୍ଡଧୂଳି ବୋଳି ହୋଇ ଗଢ଼େ ବାଲିଘର,
ତୁମେ ବି ସାଥୀ ହୋଇ ଖେଳ ମେଳରେ
ମୋ ସାଥୀରେ ବୋହୂ ବୋହୂକା ଲୁଚକାଳି
ଅତୁଟ ଆତ୍ମୀୟତାବୋଧ ତୁମର ମୋର।
ତୁମେ କେବେ ଛାଡ଼ି ଯାଇନ ମୋତେ
ଛାଡ଼ି ବି ପାରିବ ନାହିଁ ଯାଇ
ତୁମେ ସେଦିନ ଥିଲ ଆଜି ବି ତ ଅଛ,
ମୋର ସବୁ ସଫଳତାରେ ଅଛ
ବିଫଳତାରେ ଅଛ ହସ ଲୁହରେ ଅଛ।
ବିଫଳତାରେ ରହି ସତର୍କ କରି ଦିଅ
ସଫଳତାରେ ପ୍ରେରଣା ଯୋଗାଇ ଚାଲିଛ
କରେ ମୁଁ ଅନାୟାସରେ ଆତ୍ମପ୍ରକାଶ,
ମୁଁ ନିଜକୁ ଖୋଜି ପାଏ ମୋ ଭିତରେ
ସତରେ ସ୍ମୃତି ତୁମେ ଯେବେ ଆସ।