ସ୍ମୃତି ରୂପା ଜହ୍ନ
ସ୍ମୃତି ରୂପା ଜହ୍ନ
ବିତିଯାଇଛି ତ ଅତୀତର ସ୍ମୃତି ତଥାପି ବି ଉଙ୍କିମାରେ
କେବେ କେବେ ଆସେ ମନ ଅଗଣାରେ ଦେଖାଦେଇ ଲୁଚିଯାଏ
ଲୁଚକାଳି ଖେଳ ଖେଳେ କେତେ ରଙ୍ଗେ ହୃଦୟ ବିଦାରି ଦିଏ
ବିତିଯାଇଛି ତ ଅତୀତର ସ୍ମୃତି ।।
ଆଉ କେତେ କେତେ ଅଭୁଲା ସ୍ମୃତି ବି ସାଇତି ରଖିଛି ମନ
ସେ ସବୁ ଯେମିତି ସତେଅବା ରଙ୍କ ସାଇତା ସେ ଗଣ୍ଠିଧନ
ଅଭୁଲା କାହାଣୀ ଅପାସୋରା ସବୁ ରହିଛି ଆପଣା ଛାଏଁ
ବିତିଯାଇଛି ତ ଅତୀତର ସ୍ମୃତି ।।
ଏ ମନ ତ ଗୋଟେ ଉଡା ଚଢେଇରେ ସେ ସଦା ଚଳ ଚଞ୍ଚଳ
ଅମାନିଆ ନଇ ପାଣିସ୍ରୋତ ପରି ବହେ ହୋଇ ଛଳ ଛଳ
ଜୀବନ ସ୍ରୋତର ମନ ଲହରୀରେ ସ୍ମୃତି ବି ତ ଭାସୁଥାଏ
ବିତିଯାଇଛି ତ ଅତୀତର ସ୍ମୃତି ।।
ସୁଖ ଦୁଃଖ ଫେଣ୍ଟା ସ୍ମୃତିର ଫଳକ ହୃଦୟ କଳାପଟାରେ
ଲେଖି ହୋଇ ଗଲେ ଜୀବନେ ଯନ୍ତ୍ରଣା କେବେ କେବେ ଦେଇଥାଏ
ଭୁଲିବାକୁ ହେଲେ ଫୁଲ ପରି ମନ ହୋଇ ଫୁଟିବାକୁ ହୁଏ
ବିତିଯାଇଛି ତ ଅତୀତର ସ୍ମୃତି ।।
ଅତୀତ କାହାଣୀ ଭୁଲି ହେବନାହିଁ ହଜିଲେ ବି ଦେଖାଦିଏ
ମନ ଅଇନାରେ ସବୁବେଳେ ସ୍ମୃତି ପ୍ରତିବିମ୍ବ ସୃଜି ଥାଏ
ସ୍ମୃତି ରୂପାଜହ୍ନ ମନ ଆକାଶରେ ଅସ୍ତହୁଏ ପୁଣି ଉଏଁ
ବିତିଯାଇଛି ତ ଅତୀତର ସ୍ମୃତି ।।
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
