ବୋଉ
ବୋଉ
ଜୀବନେ ଜୀବନ୍ତ ଦେବୀ ମହାଦେବୀ
ପୃଥିବୀ ଠାରୁ ସେ ଗରୁ
ମର୍ତ୍ତ୍ୟ କଲ୍ଲୋଳିନୀ ଆକାଶର ଗଙ୍ଗା
ଜୀବନର କଳ୍ପ ତରୁ
ପବିତ୍ର ଅମୀୟ ଧାରା
ଜୀବନ ଆକାଶ ନିଶିଥ ଅନ୍ଧାରେ
ଏ ଆକ୍ଷିର ଧ୍ରୁବ ତାରା ।
ବାତ୍ସଲ୍ୟ ମମତା ମନ୍ଦାକିନୀ ଧାରା
ସେନେହର ସ୍ଵତ୍ସ ସିନ୍ଧୁ
ଶାନ୍ତ,ସ୍ନିଗ୍ଧ ଯାର ବିମଳ ହୃଦୟ
ଅମୃତ କରୁଣା ବିନ୍ଦୁ
ପୀୟୂଷ ମଧୁ ପ୍ଳାବିନୀ
ତ୍ୟାଗ ମୂର୍ତ୍ତି ମନ୍ତ ମହିସ୍ମତୀ ଦେବୀ
ସେ ଅମୂଲ୍ୟ ସଞ୍ଜିବନୀ ।
ଯା ଚରଣେ ସବୁ ତୀର୍ଥ ସମ୍ମିଳିତ
ଯା ଚରଣ ରେଣୁ ସ୍ପର୍ଶେ
ସକଳ କଳୁଶ ଧୋଇ ହୋଇଯାଏ
ତ
ା ସମ ନାହିଁ କେ ବିଶ୍ଵେ
ଯା ବକ୍ଷ କ୍ଷରିତ ସୁଧା
ଗଢିଛି ଏସାରା ବିଶ୍ଵ ଜୀବନ
ମମତାମୟୀ ସେ ମାଆ ।
ଜୀବନ ସୂର୍ଯ୍ୟର ପହିଲି କିରଣ
ଫୁଲରୁ କୋମଳ ସ୍ପର୍ଶ
ବଜ୍ରରୁ କଠିନ କରିପାରେ ଅଙ୍ଗ
ଯାହାର କ୍ଷଣିକ ଦୃଶ୍ୟ
ତା ପରଷା ଭାତ ଥାଳି
ମହାପ୍ରସାଦ ର ଭ୍ରମ ସୃଷ୍ଟିକରେ
ଲାଗେ ଅମୃତରୁ ବଳି ।
ଜୀବନର ଛନ୍ଦ ଜୀବନର ସ୍ଵର
ଜୀବନ ର ଗତିପଥ
ଦିଏ ଯେ ବତାଇ ସଂସାର ଦହନେ
ବଂଚିବାର ମହା ମନ୍ତ୍ର
ସେହି ମହାଦେବୀ ବୋଉ
ତା ଚରଣ ତଳେ ଲହରୀ ଖେଳଇ କେତେ
ଜୀବନ୍ତ ଜୀବନ ଢେଉ ।