ସ୍ମୃତି ପହିଲି ପ୍ରେମର
ସ୍ମୃତି ପହିଲି ପ୍ରେମର
ଯେତେ ଲୁଚାଇଲେ ଲୁଚେ ନାହିଁ କେବେ
ଆଖିଆଗେ ଭାସି ଆସେ,
ଅଲିଭା ସେ ସ୍ମୃତି ପହିଲି ପ୍ରେମର
ହୃଦୟେ ସଞ୍ଚିତ ଯେତେ |
ପ୍ରଥମ କୈଶୋରେ ତୁମେ ଜାଳିଥିଲ
ପ୍ରୀତିର ସଳିତା ପ୍ରାଣେ,
ଭରି ଦେଇଥିଲ ଭଲ ପାଇବାର
ଶତ ଛନ୍ଦ ମୋର ମନେ |
ତୁମେ ଥିଲ ଏକ ପ୍ରଗଳ୍ଭା ବାଳିକା
ପ୍ରୀତିଝରା ଫୁଲ କଳି,
ପ୍ରଜାପତି ପରି ଉଡ଼ି ବୁଲି ତୁମେ
ପ୍ରୀତି ଦେଇଥିଲ ବୋଳି |
ତୁମରି ପ୍ରେମରେ ହଜି ଯାଇଥିଲି
ପାଗଳ ଭ୍ରମର ପରି,
ଆଙ୍କିଥିଲି କେତେ ହୃଦୟେ ମୋହର
ତୁମ ଛବି ରଙ୍ଗ ଭରି |
ଆଖିରେ ତୁମର ଭାଷା ପଢ଼ିଥିଲି
ସବୁ ତ ମୋ ପାଇଁ ଥିଲା,
ହସିଲା ହସିଲା ତୁମ ଓଠ ସତେ
ପ୍ରୀତି ମୋତେ ମାଗୁଥିଲା |
କାମନାର ନିଆଁ ଦେହେ ଲାଗିଥିଲା
ଦୁହେଁ ଜଳି ଚାଲିଥିଲେ,
କେହି ବି କାହାକୁ ଛୁଇଁ ତ ନଥିଲେ
କହି ବି ପାରି ନଥିଲେ |
ଦୂରେ ରହି ତୁମେ କଥା ହୁଅ କେତେ
ସେନେହ ପ୍ରଲେପ ବୋଳି,
କେତେ ଜନମର ସାଥି ପରି ଲାଗ
ଅତି ଅନ୍ତରଙ୍ଗ ଭଳି |
ଆଜି ବି ଭୁଲିନି ସେ ଦିନର ସେହି
ପୀରତି ମଧୁର ଗାଥା,
ରୋମାଞ୍ଚିତ ହୁଏ ଏବେ ବି ମୋ ମନ
ପଢିଲେ ସେହି କବିତା |