ସ୍ମୃତି କି ଲାଗେ ସୁନ୍ଦର
ସ୍ମୃତି କି ଲାଗେ ସୁନ୍ଦର


କୁହ କିଏ ଅଛି ସତୀ ଶିରୋମଣି
ଜଳିଜଳି ନିଜ ସହ,
ଜଳିବା ଧର୍ମ କୁ ପର କରିଦେଇ
ସହିଛି ଆପଣା ଦେହ ,
ମନ ନିରିମଳ ନିର୍ଝର ଝରଣା
ପାଉଣା କି ଲୋଡିଥାଏ?
ଆପଣା ପରାଣ ସତୀ ସିମନ୍ତିନୀ
କେବେ ବି ଅଲୋଡା ନୁହେଁ।
ସତୀ ଅସତୀ ର ପ୍ରଭେଦ କିମ୍ପାଇଁ
ସାଲିସ୍ ତ କରିନାହଁ,
ତଥାପି ତୁମେ ଗୋ' ପୂଜ୍ଯା ଜଗତେ
ନାହିଁ ଏ ଦେହର ମୋହ ।
ସୁଖୀ ହେବାପାଇଁ ଉଚ୍ଚାଟ ମନ
ନିତ୍ୟ ଚୈତନ୍ୟ ଖେଳା,
କଳଙ୍କିତ ନୁହଁ,ସଖୀ ଗୋ' ଏ ଦେହ
ସହେ ଯେ ସଂସାର ଜ୍ଵାଳା ।
ଚାରି ଦିଅ ଯେତେ ଅଛି ଦସ୍ତାବିଜ
ବଦଳାଇ ଋପରେଖ,
ଆପଣା ଜୀବନ ଜୀଇଁବା ଶିଖିବା
ନୁହେଁ କେବେ ମହାପାପ ।
ଦେହ ଶହେ ଭାଗ ସତ ଗୋ' ସଜନୀ
ଏଇତ ସୃଷ୍ଟିର ଲୀଳା,
ନାରୀ ନୁହଁ କେବେ କାହାର କଣ୍ଢେଇ
ନୁହେଁ ଅବଳା ଦୁର୍ବଳା।
ଜହ୍ନ ତ ସୁନ୍ଦର ମନ ବି ସୁନ୍ଦର
କଳଙ୍କିତ ଅଳଙ୍କାର,
କଳଙ୍କ ନଥିଲେ କୁହତ ଗୋ' ସଖୀ
ସ୍ମୃତି କି ଲାଗେ ସୁନ୍ଦର ।
ଯା ମନ ଯେମିତି ଭାବନା ସେମିତି
କହିଲେ ଦୁନିଆ କହୁ,
ସ୍ମୃତି ଦସ୍ତାବିଜ ପାଥେୟ କରି ଗୋ'
ଏ ଜୀବନ ବଞ୍ଚିଯାଉ ।
କିଏ କୁହ ସତୀ ପାଇଛି ପ୍ରଶଂସା
ନଜଳି ଜୀବନ ସାରା,
ଜଳିବାର ଯଶ ଦୀପ ଭାଗ୍ଯେ ସିନା
ସଳିତା ତ ଅପାସୋରା।
କର୍ମ ବଳେ ସିନା ଜିଣେ ଭୂମଣ୍ଡଳ
ଭାଗ୍ୟ କୁ ଭରସା ନାହିଁ,
ଆଜିର ଜୀବନ କାଲିକି ନଥିବ
ଏ ପରୀକ୍ଷା କାହାପାଇଁ ?
ପରିଚୟ ପାଇଁ ଲୋଡ଼ା ନାହିଁ ସଖି
ସତୀ ଅସତୀ ପରୀକ୍ଷା,
ଆପଣା କରମ ବଳେ ହିଁ ଜୀବନ-
ପାଏ,ଏ ମଣିଷ ଶିକ୍ଷା ।