ସ୍ମୃତି ବାଲିଘର
ସ୍ମୃତି ବାଲିଘର
ସପନରେ ସିନା ମିଛଟିଏ ତୁମେ
ସତରେ ତୁମକୁ ଦେଇଛି ମନ
ମନେ କି ପଡୁନି ବୋହୁଚୋରୀ ଖେଳ
ବାଉଳା କରୁନି ହଜିଲା ଦିନ ।
ଷଢେଇ ଖପରା ବାଲିର ଚୁଲିରେ
ଭାତ ଡାଲି ଭଜା ତିଅଣ କରି
ସଜନା ପତରେ ବାଢି ଦେଉଥିଲ
ଖାଉଥିଲି ପରା ପେଟକୁ ଭରି ।
ହଜି ଯାଇଛି ସେ ସୁନାର ଦେଉଳ
ବାଲିରେ ମୋ ପାଇଁ ତିଆରି ଥିଲ
ବଉଳ ମୂଳର ଚାନ୍ଦିନୀ କାହାଣୀ
ସତେ କଣ ମନୁ ପାଶୋରି ଦେଲ ।
ସ୍ମୃତି ହଜିନାହିଁ ଆଖି ଶୁଖିନାହିଁ
ତୁମକଥା ଭାବି ବିତୁଛି ଦିନ
ଲୁହରେ ଲେଖୁଛି ଆତ୍ମକଥା ମୋର
ତଥାପି ବୁଝୁନି ଅବୁଝା ମନ ।

