ସ୍ମୃତି ଅନୁଭୂତି
ସ୍ମୃତି ଅନୁଭୂତି


ଝିପ ଝିପ ଝରୁଛି ବରଷା ବାରି
ବରଷା ଭିଜା ରାତିରେ
ମନେ ପଡୁଛ ତୁମେ ସାଥି
ହୃଦୟେ ଲହଡି ମାରୁଛି
କୋହର ତରଙ୍ଗ
ନୟନୁ ଝରୁଛି ଲୁହର ଶ୍ରାବଣ ।।
ଏ ତୃଷାତୁର ମନ
ଲଙ୍ଘିଛି ଅକ୍ଷାଂଶ ଦ୍ରାଘିମା
ତୁମେ ନଥିଲେ ବି ସାଥି
ମୋ ମନ ଆଇନାରେ
ଦିଶି ଯାଉଛି
ତୁମ ହସ ହସ ମୁହଁର
ସୁନ୍ଦର ପ୍ରତିଛବି ।।
ଏ ବରଷା ରାତି ମୋ ପାଇଁ
ସ୍ମୃତି ଚାରଣର ରାତି
ତୁମେ ତ ଦିନେ ଥିଲ
ମୋ ମନ ଉପକୂଳରେ
ପ୍ରେମର ନିର୍ଝରିଣୀଟିଏ
ଆଜି ନାହିଁ ସେହି ଜହ୍ନ ରାତି
ନାହିଁ ଚୋରା ପ୍ରିତି
ଅଦିନିଆ ଏ ବରଷା ଦେଇଛି ଧୋଇ ।।
ତୁମେ ନଥିଲେ ବି ମୋର ପାଶେ
ତୁମ କଥା କୁହା
ଆକର୍ଷଣୀୟ ବେନି ନୟନ
ଦଂଶନ କରୁଛି
ଏ ପରଜାପତି ର ମନ
ତୁମ ପଣତ ତଳେ ଲୁଚିଯାଇଛି
ମୋର ସବୁ ଅସମାପ୍ତ ଇଛା
ତୁମ ସୁନ୍ଦରତା ଆଉ ସୁଗନ୍ଧତାରେ
ଆଉଟୁ ପାଉଟୁ ହେଉଛି ଜୀବନ ।।
ବସ୍ତୁବାଦି ଦୁନିଆରେ
ଯେଉଁଠି ବଦଳି ଯାଉଛି
ପ୍ରେମର ସଂଗ୍ୟା
ସେଠି କଣ ଥାଏ ହୃଦୟ ଆଉ ଆତ୍ମା
ସବୁ ମୂଲ୍ୟହୀନ ସବୁ ଶୂନ୍ୟ
ଶୂନ୍ୟତାରେ ଭରା ସାରା ଆକାଶ
ସବୁ ଯେଉଁଠି ଶୂନ୍ୟ
କିଏ ଭରିଦେବ ଶୂନ୍ୟ ହୃଦୟେ
ବିନ୍ଦୁଏ ପ୍ରଣୟ ।।
ଆଜି
ସୁରଭିବିହୀନ କାଗଜ ଫୁଲଟିଏ ମୁଁ
କେହି ମାଗନ୍ତି ନାହିଁ ମୋର ପରିଚୟ
ପରିଚୟହୀନ ଯାଯାବର ସାଜି
ଜାଳି ଚାଲିଛି ସ୍ମୃତିର ଦୀପାଳି ।।