STORYMIRROR

Sarita Rani Mohanty

Tragedy

4  

Sarita Rani Mohanty

Tragedy

ସମର୍ପଣ

ସମର୍ପଣ

1 min
23.7K


କୁହ ହେ ଠାକୁର କି ଦୋଷ ଆମର

   କି ଦୃଶ୍ୟ ଦେଖାଉ ଅଛ

ଆମ ପାଇଁ ଯାହା ଗଢ଼ିଲ ନିୟମ

   ଆଜି କାହିଁ ଭାଙ୍ଗୁଅଛ।


ତୁମରି ସୃଷ୍ଟିର ନିୟମ ତ ଥିଲା

   ଆତ୍ମୀୟ ସ୍ୱଜନ ପାଇଁ

ମଲା ବେଳେ ପୁଣି ଉଠାଇବେ ଆର୍ଥି

   ସବୁ ଭୁଲ୍ ହେଲା କାହିଁ।


କେମିତି ସମୟ ଆସି ପହଞ୍ଚିଛି

   ନିଜ ଲୋକ ନ ଛୁଇଁବେ

ଜନ୍ମ ମୃତ୍ୟୁ ଯଦି ସତ ରହି ଅଛି

   କାହିଁ ଯାଇ ନ ଛୁଇଁବେ।


ଦଣ୍ଡେ କି ନିମିଷେ ଥିଲେ ପରା ପ୍ରାଣ

    ମରଣ ଆସି ନ ପାରେ

ସମୟ ସୁଅରେ ବଦଳି ଯାଉଛି

   ଭୟ ଆଜି ପର କରେ।


କେତେ ଦେବାଦେବୀ ପୂଜି ବାପା ମାଆ

   ପାଇଥାନ୍ତି ସନ୍ତାନକୁ

ଶେଷ ବେଳେ ତାର ଆର୍ଥି ଉଠାଇଣ

   ନେଇଯିବେ ଶ୍ମଶାନକୁ।


ସବୁ ଧାରା ଆଜି ଯାଉଛି ବଦଳି

  ବସିଛ କାହିଁ ମଉନ

ଘର ପରିବାର ଗୃହ ବନ୍ଦୀ ହୋଇ

   ନ ଦେଖନ୍ତି କା ମରଣ


ଟଳମଳ ଆଜି କାହିଁକି ବିଶ୍ୱାସ

  କରୁ ଅଛ ପ୍ରଭୁ କୁହ

ଶ୍ମଶାନ ପର୍ଯ୍ୟନ୍ତ ଆତ୍ମୀୟ ସ୍ୱଜନ

  ଯିବା ଅନୁମତି ଦିଅ।


ଭକତି ପରୀକ୍ଷା କରୁଛ ଚକ୍ତର

   ଏତେ ବଡ଼ ଦଣ୍ଡ ଦେଇ

ମୁଖାଗ୍ନି ତାହାର ପୁଅ ଦେଉ ନାହିଁ

   ବିଚାର କର ହେ ସାଇଁ।


ଜୀବନ ଦୀପଟି ଲିଭିବ ଯାହାର

  ସେ ତ ନ'ପାରିବ ଜାଣି

ତାହାରି ଦାୟାଦ ବସି ବାହୁନିବେ

    ଅବଶୋଷ ସାର ଜାଣି।


ସଭିଙ୍କ ମନରେ ଖେଳୁଛି ଆତଙ୍କ

   ମରଣକୁ ନେଇ ନୁହେଁ

ଏବେଳାରେ ଯଦି ହୋଇବ ମରଣ

   ତା'ମୁହଁକୁ କେ' ନ ଚାହେଁ।


ଏ ଘୋର ବିପତ୍ତି ଟାଳି ଦିଅ ପ୍ରଭୁ

    ଭକ୍ତ ପାଇଁ ଭଗବାନ

ନୋହିଲେ ଏ ଭବେ ହୋଇବ ଯେ ନିନ୍ଦା

    ସମର୍ପିଲୁ ଏ ଜୀବନ।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy