STORYMIRROR

Jagannath Barik

Abstract

4  

Jagannath Barik

Abstract

ସ୍ମରଣୀୟ ଦୁଇ ଅକ୍ଟୋବର

ସ୍ମରଣୀୟ ଦୁଇ ଅକ୍ଟୋବର

1 min
664


ହେ ଜାତି ଜନକ ଆହେ ଶାନ୍ତିଦୂତ 

ଘେନ ଶ୍ରଦ୍ଧାଞ୍ଜଳି ଭକ୍ତି ରସାପ୍ଲୁତ |


ଛଅ 'ଫୁଟ ଉଚ୍ଚ ଶୀର୍ଣ୍ଣ କଳେବର 

ଆଜାନୁଲମ୍ବିତ ସୁଶୋଭିତ କର |


ହେମ ଗୌର ବପୁ ତେଜ ଅନର୍ଗଳ 

ଅସ୍ଥିସାର ଅଙ୍ଗେ କୋଟି ସିଂହ ବଳ |


ବଚନ ଯାହାର ବନ୍ଧୁକରୁ ଟାଣ 

ହସରେ ଫୁଟଇ ପରମାଣୁ ବାଣ |


ଫୁଙ୍ଗୁଳା ଫକୀର ଭାରତ ବର୍ଷର 

ବିଲାତରେ ଜାଳି ଦେଲ କାଳାନଳ |


ମୋହନ ମୋହନ ମନ୍ତ୍ରେ ଭୂଭାରତ 

ମୁକ୍ତି ସଂଗ୍ରାମରେ କରିଲ ଏକତ୍ର |


ଶାନ୍ତ ଦାନ୍ତ ଧୀର ସରଳ ଉଦାର 

ସତ୍ୟ ଅହିଂସାର ଅସ୍ତ୍ରେ ବଳିୟାର |


କୁଟି ଖାଅ କାଟି ପିନ୍ଧ କର୍ମ କର 

ବିଦେଶୀ ବର୍ଜନ ସ୍ଵଦେଶୀକୁ ଧର |


ଡାକରେ ଯାହାର ଥରିଲା ଭୂଧର 

ଆକୁମାରୀ ହିମାଚଳ ଜଳ ସ୍ଥଳ |


ବିନା ରକ୍ତପାତେ ଆଣି ସ୍ୱାଧୀନତା 

ମହାତ୍ମା ପଦବୀ କଲ ସାର୍ଥକତା |


ତୁମ୍ଭ ଆଦରଶ ତୁମ୍ଭ ନୀତି ବାଣୀ 

ଯୁଗ ଯୁଗ ପାଇଁ ଅମୃତ ସନ୍ଧାନୀ |      

    

ନମୋ ଶାନ୍ତିଦୂତ ଶାସ୍ତ୍ରୀଜୀପ୍ରବର

ମାତ୍ର ପାଞ୍ଚ ଫୁଟ ଉଚ୍ଚତା ତୁମ୍ଭର |


ଓଜନ ଅଣଚାଳିଶ କେଜି ମାତ୍ର 

ଆହା କି ଦୁର୍ବଳ ଭଗ୍ନସ୍ୱାସ୍ଥ୍ୟ ଗାତ୍ର |


ଛୋଟ ଗଳାଟିରେ କି ଅଦ୍ଭୁତ ଶକ୍ତି

ଥରିଲା ଧରିତ୍ରୀ ଦେଖି କରାମତି |


ଜୟ ଯବାନ ଜୟ କିଷାନ ସ୍ଲୋଗାନ 

ଆକୁମାରୀ ହିମାଚଳ କମ୍ପମାନ |


ଝଡ଼ିଲା ଉତ୍ତୁଙ୍ଗ ପାକିସ୍ଥାନ ଗର୍ବ 

ତ୍ରାହି ତ୍ରାହି ଡାକି ଛାଡ଼ିଲା ଆହବ |


ତାସକେଣ୍ଟରେ ଚୁକ୍ତି ହେଲା ସମାହିତ 

ସେଇଠି ଜୀବନ ଦୀପ ନିର୍ବାପିତ |


ପ୍ରଦୀପ୍ତ ଭାସ୍କର ହେଲେ ଅସ୍ତମିତ 

ଅଧୁରା ସେ ସ୍ବପ୍ନ ଅବିସମ୍ବାଦିତ |


ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ ଗୁଣୀବର 

ନିର୍ଦ୍ଧନ ସଚ୍ଚୋଟ ନ୍ୟାୟ ନୀତିଧର |


ଅଠର ମାସର ପ୍ରଧାନମନ୍ତ୍ରୀତ୍ୱ 

ଇତିହାସେ ସ୍ୱର୍ଣ୍ଣାକ୍ଷରରେ ଲିଖିତ |


ହେ ଅନନ୍ତାଶ୍ରୟୀ ମହାତ୍ମା ଯୁଗଳ 

ଦେଖ ତୁମ ରାମରାଜ୍ୟର ସଫଳ |


ଏକଶତତ୍ରିଂଶ କୋଟି ଜନତାର 

ପୁଣ୍ୟ ଜୟନ୍ତିରେ ଘେନ ନମସ୍କାର |


ସୁରପୁରେ ଥାଇ ଦିଅ ଶୁଭାଶିଷ 

ଆଉଥରେ ଆସି ପୂରାଅ ଅଭୀଷ୍ଟ |


ସ୍ମରଣୀୟ ପୁଣ୍ୟ ଦୁଇ ଅକ୍ଟୋବର 

ଇତିହାସେ ରଖି ଅମ୍ଲାନ ସ୍ଵାକ୍ଷର |



Rate this content
Log in

Similar oriya poem from Abstract