ସମ୍ପର୍କର ମୂଳଧନ
ସମ୍ପର୍କର ମୂଳଧନ
ବିଶ୍ବାସ ଭରସା ସେନେହ ଆଦର
ଧୈର୍ଯ୍ୟ ଭକ୍ତି ସମର୍ପଣ
ସହନଶୀଳତା ସୁମଧୁର କଥା
ସମ୍ପର୍କର ମୂଳଧନ ।
ନୀତି ଆଦର୍ଶରେ ବିନିଯୋଗ କଲେ
ବଢ଼ିବଢ଼ି ଚାଲେ ତାହା
ଦୟା କ୍ଷମା ପ୍ରୀତି-ସୁଧାର ବରଷା
ସମ୍ପର୍କରେ ତୋଳେ ଆହା !
ସେ ମୂଳଧନରେ ବଳୀୟାନ କେହି
ଖଟାଇ ବୁଦ୍ଧି ବିବେକ
କିଣୁ କିଣୁ ନିଜ ଆତ୍ମୀୟଙ୍କ ମନ
ସାଜେ ପଥ ପ୍ରଦର୍ଶକ ।
ବଦଳାଇ ପାରେ ସମ୍ପର୍କ ଭିତରେ
ଥିଲେ ବି ଦୁର୍ମତି କିଏ
ଉଇଁ ଉଠେ ସତେ ନୂତନ ସୂରୁଜ
ସେହି ଅଜ୍ଞାନ ହୃଦୟେ ।
ପରସ୍ପର ବାଣ୍ଟି ସୁଖ ଶରଧାକୁ
ଚଳାଇ କରମ ନାବ
ବୋଳି ହେଉଥାନ୍ତି ମୁଖରେ ନିଇତି
ଆନନ୍ଦର ଅନୁଭବ ।
ଯେ କରେ ଆୟତ୍ତ ସେ ସରବ ମିତ
ସମ୍ପର୍କେ ନଥାଏ ଫାଟ
ସକଳ ହୃଦୟେ ତୋଳି ଘର ସିଏ
କରେ ସୁଖ ଶାନ୍ତି ଭେଟ ।
ଏସବୁ ଧନର ଯିଏ ହାତଛଡ଼ା
ଜୀବନଟା ତ୍ରୁଟିଯୁକ୍ତ
ଗତି କରିକରି ଅଶାନ୍ତି ଭିତରେ
ହଜାଏ ନିଜ ମହତ ।
ଗଡ଼ିଗଲା ପରେ ସମୟଟା ଯେବେ
ବୁଝଇ ମହତ୍ତ୍ଵ କେହି
ଧରି ଅବସୋସ ବୁହାଇ ଲୋତକ
ବେଦନାରେ ଭିଜୁଥାଇ ।
ଚିତ୍ତ ସଞ୍ଜମତା ନ କରି କାହିଁକି
ହରାଇବା ଏହି ଧନ
ଆସିଥିଲେ ଖାଲି ଚାଲିଯିବା ଖାଲି
ଏତ ଜୀବନଦର୍ଶନ ।
ଖଟାଇ ପାରିଲେ ସିନା ମୂଳଧନ
ବଢ଼ି ବିରାଟ ଆକାର
ଯାଚି ଦେଉଥିବ ସମ୍ପର୍କର ମୂଲ
ନଥିବ ମନେ ବିକାର ।
