ସମ୍ପର୍କର ହାତ ଧରି
ସମ୍ପର୍କର ହାତ ଧରି
ଜୀବନର ପଥେ ସର୍ବେ ଏ ମରତେ
ଅବିରତ ଧାବ ମାନ
ଜୀବନ ଯାତ୍ରାରେ ଅନେକ ଅନେକ
ଲୋକଙ୍କ ସାଥେ ଗଠନ ।
ହୁଏ ସୁସମ୍ପର୍କ ରହିଥିବା ଯାଏ
ସେହି ଏହି ସମୟରେ
ସଂପର୍କ ସହିତ ନିତ୍ୟ ବିଜଡିତ
ଜୀବନ ପ୍ରବାହ ଚାଲେ ।
ହୋଇ ଚାଲି ଥାଏ ମଣିଷ ଗୋଟିଏ
ଅନ୍ୟ ଜଣଙ୍କର ସାଥେ
ମିଳ ମିଶା କଲେ ନୂତନ ସମ୍ପର୍କେ
ଚଳନ୍ତି ଥାଇ କି ପାଖେ ।
ସମୟ ସହିତ ବ୍ୟକ୍ତିର ବ୍ୟକ୍ତିତ୍ଵ
ଧାରଣା ଚେତନା ଭାବ
ନିତି ଖୋଜି ବୁଲେ ନୂତନୁ ନୂତନ
ସଂପର୍କ ସେ ଅଭିନବ ।
ସବୁଠୁ ଅଧିକ ଅସହାୟ ପ୍ରାଣୀ
ଅଟଇ ଯେଣୁ ମଣିଷ
ଜନ୍ମ ଠାରୁ ଚାଲି ଶିଖିବା ଯାଏ ସେ
ଧରି ସଂପର୍କର ହାତ ।
ସଂପର୍କ ସହିତ ମିଶି ଅବିରତ
ଜଳରେ ଯେପରି ମାଛ
ଚାଲଇ ତାହାର ଜୀବନ ଯାପନ
ସମ୍ପର୍କ ଛାଡି କଇଁଛ ।
ପରାଏ ଲୁଚାଏ ପାଦ ଓ ମସ୍ତକ
ଆପଣା ର ଅଭ୍ୟନ୍ତର
ବଞ୍ଚି କି ପାରିବ ସତେ କେହି କାହିଁ
ହୋଇ ସମ୍ପର୍କ ଅନ୍ତର ।
ଶୈଶବରେ ଗୃହେ ପିତା ମାତା ଆଉ
ବାହାରେ ଯେ ଖେଳ ସାଥୀ
କେତେ କେତେ ବନ୍ଧୁ ବାନ୍ଧବ , ଜ୍ଞାତିଙ୍କ
ଗହଣରେ ଏଠି ସେଠି ।
ଶିକ୍ଷା ଲାଭ କରି ଗୁରୁ ପାଖେ ରହି
ସଂପର୍କର ହାତ ଧରି
କ୍ରମାଗତ ଭାବେ ଜଗତେ ଯେ କେତେ
ସଂପର୍କ ଉଠଇ ଗଢି ।
