ସମ୍ପର୍କର ବେଳାଛୁଇଁ
ସମ୍ପର୍କର ବେଳାଛୁଇଁ
ବନ୍ଧନ ନୁହଇଁ ଅଳିକ ଜୀବନେ
ନିର୍ମାଲ୍ୟ ସେ ହୃଦୟର,
ବିଶ୍ୱାସରେ ଯହିଁ ଅନୁରାଗ ଭରେ
ଅତ୍ମୀୟତା ନିରନ୍ତର ।
ପାଣିର ଫୋଟକା ମିଳାଇବା ପରି
ବନ୍ଧୁପଣ କାହିଁରୁହେ,
ମମତା ମନ୍ଦିର ସେନେହତା ଶିରି
ସଦା ପବିତ୍ରତା ମୋହେ ।
ଜୀବନ ମରୁରେ ଶ୍ରଦ୍ଧା ଜଳଧାର
ଅନୁରାଗ ପଣନେଇ,
ଅବିଶ୍ୱାସ କାହିଁ ବନ୍ଧନର ଦ୍ୱାର
ମୁକୁଳିତ ଭାବସେଇ ।
ସମ୍ପର୍କ ମମତା ବଢାଏ ସମତା
ହୃଦୟର ଶ୍ରଦ୍ଧାନେଇ,
କୃଷ୍ଣ, ସୁଦାମାଙ୍କ ଶ୍ରଦ୍ଧାରେ ତୃଷିତା
ଚାତକ ମେଘେ ଭାବଇ ।
ସମର୍ପିତ ପଣ ଆତ୍ମାର କାରଣ
ଭାବରେ ବତୁରା ମୋହ,
ଦିଗହଜା ହେଲେ ନ ରୁହଇ ଭଲେ
ନିରାଜନା କାହିଁ କହ ।
ବାସ୍ତବ ବନ୍ଧୁର ଦରଦ ପରାଣ
ବନ୍ଧୁ ସୁଖ, ଦୁଃଖ ନେଇ,
ଶତ ବାଧାସେଠି ଯାଇଛି ହାରିଣ
ବନ୍ଧୁତା ମମତା ପାଇଁ ।
ଅକୁହା ଆବେଗ ଅନୁରାଗ ତୋଳେ
ସମ୍ପର୍କର ବେଳା ଛୁଇଁ,
ଅସାର ସଂସାର ଅମୃତର କୋଳେ
ଚାନ୍ଦର ରୋଷଣୀ ହୋଇ ।
ପ୍ରୀତିରେ ପଖଳା ପଲ୍ଲବୀତ ଧାରା
ପୂରବୀ ରାଗରେ ଭିଜେ,
ମିଳନ ପିଆସି ସପନରେ ସାରା
ରାତ୍ରି ସୌଦାଗର ସାଜେ ।
ସରାଗ ସାଗରେ ପ୍ରୀତି ମୋତିମାଳା
ନୈସର୍ଗିକ ସୁରଭିରେ,
ସମ୍ପର୍କ ଆୟୁଷ ସାବିତ୍ରୀ ସୁଶୀଳା
ଅତ୍ମୀୟତା ପସରାରେ ।
କଳା ଠାକୁର ମୋ କାଳିଆ ସାଆନ୍ତ
ବନ୍ଧୁମହାନ୍ତିର ବନ୍ଧୁ,
ଜଗତ କରତା ବାର୍ତ୍ତା ଆଦିଅନ୍ତ
ଗଭୀରତାର ସେ ସିନ୍ଧୁ ।
