ସମ୍ପଦ କାଳେ ସର୍ବେ ସଖା
ସମ୍ପଦ କାଳେ ସର୍ବେ ସଖା
ମିଛ ମାୟାର ଏ ସଂସାର । କିଏ ବା ଅଟଇ କାହାର ।।
ମୋହରେ ପଡି ମତିଭ୍ରଷ୍ଟ । ମିଳଇ ଖାଲି ଦୁଃଖ କଷ୍ଟ ।।
ଧନ ସମ୍ପତ୍ତି ଦାରା ସୁତ । ଦେଖିଣ ହେଉ ଲୋଭ ଗ୍ରସ୍ତ ।।
ଅନ୍ୟାୟ, ଅନୀତି ଦୁର୍ନୀତି । କରିଣ ସଞ୍ଚିଛୁ ସମ୍ପତ୍ତି ।।
ଐଶ୍ୱର୍ଯ୍ୟ, ପ୍ରାଚୁର୍ଯ୍ୟରେ ବୁଡ଼ି। ଧର୍ମ କର୍ମକୁ ଯାଉ ହୁଡ଼ି ।।
ଦେଖିଣ ଧନ ବଇଭଵ । ଦେଖାନ୍ତି ସର୍ବେ ବନ୍ଧୁ ଭାବ।
ସଭିଏଁ ସ୍ୱାର୍ଥର ଯେ ଦାସ । ସୁଖ ସମୟେ ଥାନ୍ତି ପାଶ।।
କେତେ ଆଦର ଅଭ୍ୟର୍ଥନା। କରନ୍ତି ସମ୍ପଦରେ ସିନା ।।
ଦୁଃଖ ସମୟ ଆସେ ଯେବେ।ସଭିଏଁ ଭୁଲି ଯାନ୍ତି ତେବେ।।
ସତେ କି ଅଚିହ୍ନା, ଅଜଣା । ସ୍ୱାର୍ଥରେ ସର୍ବେ ବାଟବଣା ।।
ଯେତେକ ଆତ୍ମୀୟ ସ୍ୱଜନ । ବନ୍ଧୁ, କୁଟୁମ୍ବ ଜ୍ଞାତିଜନ ।।
ସମ୍ପଦ କାଳେ ସର୍ବେ ସଖା। ବିପଦେ ନ ଦିଅନ୍ତି ଦେଖା।।
ତେଣୁ ନ ହୋଇ ମୋହଗ୍ରସ୍ତ। ସଂସାର ଜଞ୍ଜାଳରେ ବ୍ୟସ୍ତ ।।
ଧର୍ମ କାର୍ଯ୍ୟରେ ଦେଇ ମନ। କର ହେ ପୁଣ୍ୟ ଅରଜନ। ।
ବିଭୁଙ୍କ ପାଦ ପଦ୍ମେ ମତି। ରଖିଲେ ଲଭିବ ମୁକତି ।।
ସେ ନାମ ମଧୁ ରସାମୃତ। ପାନ କରିଲେ ହେବ ମୁକ୍ତ ।।
ଏ ମୋହ ମାୟାର ସଂସାର। ଅଟଇ ସତେ କି ଅସାର ।।
କରିଲେ ନିଷ୍କାମ ଭକତି । ଲଭିବ ନିଶ୍ଚୟ ସୁଗତି। ।