ସମ୍ପଦ ବେଳେ ସର୍ବେ ସଖା
ସମ୍ପଦ ବେଳେ ସର୍ବେ ସଖା


ସମ୍ପଦ ବିପଦ ଜୀବନେ ମୂଦ୍ରାର
ଅଟେ ଦୁଇଗୋଟି ପାର୍ଶ୍ଵ
ବିପଦେ ନ ଲାଗି ସମ୍ପଦେ କି ଲାଭ
ବୁଝିବ କି ଏ ମଣିଷ !
ସମ୍ପଦ କାଳରେ ସଖା ସହୋଦର
ଦୂରେଇ ଯାଏ ବିପଦେ
ବିପଦ ଶିଖାଏ ଲୋକଙ୍କୁ ଚିହ୍ନିବା
ସମ୍ପଦେ ଅଚିହ୍ନା ଲାଗେ ।
ସମ୍ପଦ କାଳରେ ମିଠା ମିଠା କଥା
ସମ୍ପର୍କର ଲମ୍ବା ଧାଡ଼ି
ବିପଦ ଆସିଲେ ଧାଡ଼ି ଛିଡ଼ି ଯାଏ
ସମ୍ପଦ ସ୍ଵାର୍ଥ ଦଉଡ଼ି ।
ସମ୍ପଦ ସମୟେ ଆଜ୍ଞା ଅବଧାନ
ସନମାନ ହଇ ଚଇ
ସମ୍ପଦ ସରିଲେ ଚିହ୍ନା ଯେ ଅଚିହ୍ନା
ସମୟ ଯେ ନ ମିଳଇ ।
ସମ୍ପଦେ ବିଭୋର ବିପଦେ କାତର
ନୁହଁଇ ମଣିଷ ଧର୍ମ
ସମ୍ପଦେ ବିପଦେ ସମ ଭାବାପନ୍ନ
ଏହା ଅଟେ ଶାସ୍ତ୍ର ଜ୍ଞାନ ।
ନିଜ ବିପଦର ଅନୁଭବ ନେଇ
ଅନ୍ୟ ବିପଦ ମାପିବା
ସଂପଦକୁ ଅନ୍ୟ କାମରେ ଲଗାଇ
ବିପଦୁ ଉଦ୍ଧରି ଦେବା ।
r>
ଯେଉଁ ସଂପଦ ଯେ କାର୍ଯ୍ୟରେ ଲାଗେନି
କି ଲାଭ ସେ ଥାଇ ପାଶେ
ସଂପଦ ସମୟେ ସାବଧାନ ଥିଲେ
ଲୋକ ମୁହେଁ ଭାବ ଦିଶେ ।
ମଣିଷ ଜୀବନ ମାନବିକ ଗୁଣେ
ଭରିବା ଆତ୍ମ ଚେତନା
କାହା ସଙ୍ଗେ ଯଦି ସଂପର୍କ ଯୋଡିବା
ସମ୍ପଦ ଦେଖି ନ ନେବା ।
ମଣିଷ ଜୀବନ ସମ୍ପଦରେ ପୂର୍ଣ୍ଣ
ଖାଲି ଟଙ୍କା ସୁନା ନୁହେଁ
ଜ୍ଞାନ ଓ ପ୍ରେମର ଅମୂଲ୍ୟ ସମ୍ପଦ
ମଣିଷ ପାଖରେ ଥାଏ ।
ସମ୍ପଦକୁ କାହା ବିପଦେ ଲଗାଇ
ମିଳଇ ଯେଉଁ ସନ୍ତୋଷ
ସେ ସନ୍ତୋଷ କେବେ କେଉଁଠି ମିଳେନି
ଯେତେ ଥାଉ ବି ସମ୍ପଦ ।
ସମ୍ପଦେ ବୋଲାନ୍ତି ସଖା ସହୋଦର
ବିପଦେ ନଦ୍ୟନ୍ତି ଧରା
ସ୍ଵାର୍ଥର ପଛରେ ମଣିଷ ଧାଇଁଲେ
ଅମଣିଷେ ହେବ ଗଣା ।
ସମ୍ପଦ ବେଳରେ ସର୍ବେ ସଖା ବୋଲି
ଯେଉଁ ଆପ୍ତ ବାକ୍ୟ ଅଛି
ସମାଜର ଦୃଶ୍ୟ ସେ କଥାରେ ଲେଖା
ତାହା ହିଁ ଦେଖା ଯାଉଛି ।