ସକାଳୁ ସଂଜ ବୁଲିଲି
ସକାଳୁ ସଂଜ ବୁଲିଲି
ସୂରୁଯ ଯେବେ ଆସିଲା ଉଇଁ
ଦେଖିଲି ମୋର ଧରାକୁ
ମୁଠାମୁଠାକି ସାଉଁଟି ନେଲି
ସୁନା ପରି ତା' ଖରାକୁ
ନାନା ଫୁଲର ବଗିଚାଟିଏ
ପଡିଲା ମୋର ଆଖିରେ
ଫୁଲରୁ ରଙ୍ଗ ପୋଛିଆଣିକି
ଦେହରେ ଦେଲି ମାଖିରେ
ଦେଖିଲି ଯାଇ ପାହାଡ ତଳେ
ଝରି ଯାଉଛି ଝରଟେ
ମନେ ଭାବିଲି ତାହାରି କୂଳେ
ତୋଳିବି ମୋର ଘରଟେ
ଦେଖିଲି ନଈ ଯାଉଛି ବହି
ସାଗର ସାଥେ ମିଶୁଛି
ଅଙ୍କାବଙ୍କା ତା' ଚେହେରା ସତେ
ଭାରି ବଢିଆ ଦିଶୁଛି
ଲତା ଗହଳେ ଦେଖିଲି ପୁଣି
ଖେଳୁଛି ଟିକି ଚଢେଇ
କହିଲି ତାକୁ ତୋ ବସା ପାଶେ
ମୋ ବସା ଦେ' ଗଢେଇ
ଶାଗୁଆ ଶୋଭା ଦେଖିଲି କେତେ
ପଡିଆ ବିଲ ବନରେ
ଭାବିଭାବିକା ସେଇ ଛବିକୁ
ସାଇତି ଦେଲି ମନରେ
ବୁଲିବୁଲିକା ହେଲି ମୁଁ ଖୁସି
ଭୋକଶୋଷଟି ଭୁଲିଲି
ଇଚ୍ଛାରେ ମୋର ଏକାକୀ ମୁହିଁ
ସକାଳୁ ସଂଜ ବୁଲିଲି