STORYMIRROR

T.Durga Prasad Rao

Inspirational

4.8  

T.Durga Prasad Rao

Inspirational

ସକାଳ

ସକାଳ

1 min
13.5K



ଲୁଚିଲେ ତାରକେ, ଲୁଚିଲାଣି ଜହ୍ନ

କୁଆଁତାରା ଖାଲି ହସେ

ଗାଁ ପଲ୍ଲୀ ପୁର ବିଲ ତୋଟା ମାଳ

ଫରଚା ଫରଚା ଦିଶେ


ଅପସରି ଯାଏ କଳା ଚାଦରଟି

ରାତିର ଅନ୍ଧାର ନେଇ

ସକାଳ ଛୁଆଁରେ ଲାଜେ କି ଦଉଡ଼େ

ପାହାଡ଼ ପାହାଡ଼ ଡେଇଁ


ବିଲୁଆ ଶିଆଳ ହିଂସ୍ରଜନ୍ତୁ ଯେତେ

ଲୁଚିଲେଣି ଗିରି ବନେ

କା’ କା’ ଡାକି ଗ୍ରାମ ନଗ୍ର ପୁରେ

କାକ ଉଡ଼େ ଖୁସି ମନେ


ତରୁଶାଖା ପରେ ବିହଗ ନିଡ଼ରେ

ପକ୍ଷୀ ଶାବକଙ୍କ ମେଳ

କୁନି ଡେଣା ଝାଡ଼ି ଖଣ୍ଡେ ଦୂର ଉଡ଼ି

ଫେରନ୍ତି ମା’ର କୋଳ


ଲାଲ୍ ଟୁକୁ ଟୁକୁ ସାଧବ ବୋହୁଟି

ଘାସର ଗାଲିଚା ପରେ

ନିରବ ସଧିରେ ପାଦଟି ପକାଇ

ଆଗକୁ ଆଗକୁ ଚାଲେ


ତାଳବଣ ଫାଙ୍କୁ ଉଙ୍କି ମାରିଲାଣି

ବାଳୁତ ସୁରୁଜ ପରା

ସୁନେଲି ଆଲୁଏ ଝଲସାଇ ଦେଇ

ମାଟିର ମହକ ଧରା


ଝିଲ୍ ମିଲ୍ ଦିଶେ ତଟିନୀ ନିର୍ଝର

ତରଳ କନକ ସମ

ଗିରି, ତରୁ ଚୁଡ଼ା ଦିଶଇ ସ୍ୱର୍ଣ୍ଣିମ

ଦିଶେ ଭାରି ମନୋରମ


ସତେଜତା ଭରି ପ୍ରାତଃ ପୁଷ୍ପ କଳି

ନିରେଖିଛି ଆକାଶକୁ

ରବିର କିରଣ ପରଶେ ମଗନ

ସଜବାଜ ଫୁଟିବାକୁ


ସବୁରି ମୁଖରେ ଖୁସିର ଲହରୀ

ଦିବସର ଆଗମନେ

ସତେ ନୂଆ ଆଶା ନୂତନ ଭରସା

ଭରିବ ସକଳ ମନେ


ଟି.ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational