Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.5  

Jagannath Barik

Inspirational

ସିଂହନାଥରେ ସାନ୍ଧ୍ୟ ଭ୍ରମଣ

ସିଂହନାଥରେ ସାନ୍ଧ୍ୟ ଭ୍ରମଣ

1 min
277


ବେଳ ରତରତ ହେଉଛି ମାଆ କୋଳକୁ ରବି

ଡେଇଁ ପଡ଼ିବାକୁ ଉଦ୍ୟତ ସାଜି ଲୋହିତ ଛବି |


ସିଂହାଚଳ ଚୂଳ ବରଜି ଭାନୁ ମଣିଭଦ୍ରାର

ଶିଖରେ ସ୍ୱକରେ ବୁଣିଲେ ଅସ୍ତରାଗ-ମନ୍ଦାର |


ମହାନଦୀ ନୀଳ ସଲୀଳେ ହୋଇ ପ୍ରତିଫଳିତ

ପ୍ରବଳ ପ୍ରବାଳ ବରଣ ଛବି କରେ ମୋହିତ |


ମୃଦୁଳ ହିଲ୍ଲୋଳ ଲୋଳଇ ସାୟନ୍ତନ ବେଳରେ 

ନାବିକ କଣ୍ଠରୁ ଆହୁଲା ତାଳେ ସଂଗୀତ ଝରେ |


ନୀଡ଼ ଅଭିମୁଖେ ଫେରନ୍ତି ପକ୍ଷୀ କରି କୂଜନ

ନିଶିମୁଖ ଆଗମନୀର ବାର୍ତ୍ତା କରି ବଣ୍ଟନ |


ମହାନଦୀ ସେତୁ ଉପରେ କରୁ ସାନ୍ଧ୍ୟ ଭ୍ରମଣ

ମୁକ୍ତ ସମୀରଣ ସେବନ ସଙ୍ଗେ ମନୋରଞ୍ଜନ |


ସ୍ୱର୍ଣ୍ଣିମ ବାଲୁକା ଶ୍ୟାମଳ ପଠା ସୁଷମା ଶିରୀ

ଭାବାନ୍ତର ଆଣେ ମନରେ ନଭ ଚୁମ୍ବିତ ଗିରି |


ଶମ୍ଭୁ ଆଳୟରୁ ଶୁଭିଲା କମ୍ବୁ ମଙ୍ଗଳ ସ୍ୱର

ରଙ୍ଗେ ବେଳାକୁଳା ଚୁମ୍ବିଲା ନୀଳ ଜଳ ଲହର |


ଦେବ ସିଂହନାଥ ପୀଠସ୍ଥ ମହୀରୁହ ସକଳ

ମୃଦୁ ପ୍ରଭଞ୍ଜନ ପରଶେ ସନ ସନ ଚଞ୍ଚଳ |


ଧିରେ ଧିରେ କଳା ପରଦା ଢାଙ୍କେ ସନ୍ଧ୍ୟା ସୁନ୍ଦରୀ

ଜଳ ସ୍ଥଳ ନଭ କାନନ ଜନପଦ ବିସ୍ତରି |


ବାଙ୍କୀ ଚର୍ଚ୍ଚିକାୟୀ ଦେଉଳ ଚୂଳେ ବିଜୁଳିବତୀ

ପ୍ରାଚୀ ଦିଗାଙ୍ଗନମଣ୍ଡିଲା କାବ୍ୟତାରା ଝଟତି |


ପ୍ରତୀଚି ଦିଗନ୍ତେ ଶ୍ରୀବାଣେଶ୍ୱର ନୀଳମାଧବ

ପାହାଡ଼ ସୂଚାଏ ପୁରାଣ ଇତିହାସ ବିଭବ |


ଉତ୍ତରେ ରଗଡିପଡ଼ାର ରଘୁନାଥ ମନ୍ଦିର

ଯାମ୍ୟେ ରାମନାଥ ବୈଦେହୀନାଥ ରାଜେ ରୁଚିର |


ଫୁଟିଗଲେ ନଭେ ଗୋଟିକି ଗୋଟି ତାରକା ପନ୍ତି

ବିହରିଲେ ନିଶା ସଙ୍ଗରେ ରଙ୍ଗେ ରଜନୀପତି |


ସାନ୍ଧ୍ୟ ଭ୍ରମଣାନ୍ତେ ଫେରିଲି ଅତି ହୃଷ୍ଟ ମନର

ଅନୁଭବ ଏତ ଶାଶ୍ୱତ ସତ୍ୟ ଭାବ ରାଜ୍ୟର |


ଶରୀର ସହିତ ମନର ହେଲା ପୂର୍ତ୍ତି ସାଧନ

ଯୋଗୀଜନ ମନ ବାଞ୍ଛିତ ଏତ ପରମ ଧନ |


Rate this content
Log in

Similar oriya poem from Inspirational