ସିଂହ ଦୁଆର
ସିଂହ ଦୁଆର
ତୋ ସିଂହ ଦୁଆରେ ହେଇଛିରେ ଠିଆ
କରୁଛି ପାଦେ ଗୁହାରି
ତୁ ବଧିର ହେଲେ ମୋ ଜଗା କାଳିଆ
ହେବିନି ଆଉ କାହାରି ।
କେତେ ଆଶା ନେଇ ଆସିଛିରେ ଧାଇଁ
ଦେବୁନି ମୋତେ ଦୂରେଇ
ପାରୁନିରେ ଚାଲି ପଡିଛିରେ ଥକି
ଦେଏ ତୁ ହାତ ବଢେଇ ।
ତୁ ଯଦି ମୋର ନ ହୋଇବୁ ସାହା
କହ କିଏ ଆଉ କରିବରେ ଆହା
ସତରେ ଯିବି ମୁଁ ମରି ।
ତୋ ପାଦେ କରେ ଗୁହାରି ।
ଏତେ ବଡ ଏଇ ଦୁନିଆରେ ମୋର
ଆଶାରା କେହିରେ ନାହିଁ
ତୋ' ପରେ ଭରସା କରି ମୁଁ କାଳିଆ
ତୋ ପାଶେ ଆସିଛି ଧାଇଁ ।
ଯେ ଡାଳ ଧରୁଛି ସେ ଡାଳ ଭାଙ୍ଗୁଛି
ନାହିଁ ମୋ କେହି ନିଜର
ବାସ ହୀନ ହେଇ ଘୂରିରେ ବୁଲୁଛି
ନାହିଁ ପେଟକୁ ଆହାର ।
ତଥାପି କାଳିଆ ଦୁଃଖ ମୁଁ କରୁନି
ଖାଇବାକୁ ଦାନା କେବେ ବି ମାଗୁନି
ଯାଆନି ତୁ ରେ ଡରି ।
ତୋ ପାଦେ କରେ ଗୁହାରି ।
ଝଡ ଝଞ୍ଜା ଭରା ଏଇ ମୋ ଜୀବନ
ଚଲାପଥ କଣ୍ଟା ଭରା
ଦିଗ ହଜା ହେଇ ଘୂରି ମୁଁ ବୁଲୁଛି
ନାହିଁ ମୋ କେହି ସାହାରା ।
ଲିଭି ଯାଇଅଛି ମୋ ଓଠର ହସ
ଆଖିରେ ଭରିଛି ଲୁହ
ଦୁଃଖର ସାଗରେ ଭାସୁଛିରେ ନିତି
ଛାତିରୁ ସରୁନି କୋହ ।
ମୋ ହାତ କାଳିଆ ଧରିଥିଲେ ତୁହି
ଏ ଜଗତେ ମୋର କିଛି ଲୋଡା ନାହିଁ
ସେଇତ ଖୁସି ମୋହରି ।
ତୋ ପାଦେ କରେ ଗୁହାରି ।
ଆସିଅଛି ଏକା ଚାଲି ଯିବି ଏକା
ଦୁଃଖ କରିବାର ନାହିଁ
ଏଇ ଧନ ଜନ ଅଟେ କ୍ଷଣସ୍ଥାୟୀ
ସାଥିରେ ଯିବେନି କେହି ।
ତୁ ସାଥେ ଥିଲେ ଆସୁ ଯେତେ କଷ୍ଟ
ହସି ହସି ଯିବି ସହି
ତୁ ଯଦି କାଳିଆ ପର କରି ଦେବୁ
ସତେ ମରି ଯିବି ମୁହିଁ ।
ତୁ ମୋ ଜୀବନ ତୁ ମୋ ସପନ
ତୋ ପାଇଁ ଆଜି ବିତି ଯାଏ ଦିନ
ସାଥି ତୁ ମୋ ଚକ୍ରଧାରୀ ।
ତୋ ପାଦେ କରେ ଗୁହାରି ।
ନିଜକୁ ତୋ ପାଦେ ସମର୍ପି ଦେଇଛି
ଯାହା ଇଚ୍ଛା ତାହା କର
ନିନ୍ଦା ଅପବାଦ ଭରିଲେ ଜୀବନେ
ସିଏ ବି ହେବ ତୋହର ।
ଲୋକ ହସା ଯଦି କରିବୁ କାଳିଆ
ମନା ନାହିଁ କିଛି ମୋର
ଧର୍ମର ନିକିତି ଅଛି ତୋର ହାତେ
କରିବୁ ତାର ବିଚାର ।
ରଖିଲେ ରଖିବୁ ମାରିଲେ ମାରିବୁ
ହେଲେ ତୋ ପାଦରୁ ଦୂରେଇ ନ ଦେବୁ
ରଖିଥିବୁ ହେତୁ କରି ।
ତୋ ପାଦେ କରେ ଗୁହାରି ।
ଯେତେ ତୁ ପରୀକ୍ଷା କରିବୁରେ କର
କିଛି ମୋର ଡର ନାହିଁ
ବଞ୍ଚିଛି ମୁଁ ଯଦି ଏଇ ଦୁନିଆରେ
ସବୁ ତ ତୋହରି ପାଇଁ ।
ଜାଳି ଦେ ପଛକେ ଏଇ ମୋ ଜୀବନ
ଭରି ଦେ ଦୁଃଖ ଯନ୍ତ୍ରଣା
ତଥାପି ତୋ ପାଦେ ଥିବିରେ କାଳିଆ
ହେବିନିରେ ଆନମନା ।
ତୁ ଏକା ମୋର ଗତି ମୁକ୍ତି ଦାତା
ତୁ ତ ମୋହର ମୋ ଭାଗ୍ୟ ବିଧାତା
ହାତ ମୋର ଥିବୁ ଧରି ।
କରୁଛି ପାଦେ ଗୁହାରି ।
ତୋ ସିଂହ ଦୁଆର ନ ଖୋଲିଲେ ନାହିଁ
କରୁଛି ଏଠି ଜୁହାର
ଯେଉଁଠି ମା ଲକ୍ଷ୍ମୀ ତୁମେ ତ ରହିବ
ସେଇ ମୋ ବୈକୁଣ୍ଠ ପୁର ।
ହୃଦୟର ଦୁଆର ଖୋଲା ମୋ ରହିଛି
ତୋ ପାଇଁ କଳା ଠାକୁର
କରିନି ମୁଁ ପୂଜା ଦେଇନି ବି ଭୋଗ
ହେବୁନି କେବେ ଅନ୍ତର ।
ଭାବରେ ବନ୍ଧା ତୁ ପରା ଭାବଗ୍ରାହୀ
ଜନ୍ମ ଜନ୍ମ ପାଇଁ ମୋର ସାଥି ତୁହି
ତୋ ବିନା ଯିବି ସରି ।
ତୋ ପାଦେ କରେ ଗୁହାରି ।
