ସୀତୟା ବିଚ୍ଛେଦେ ଶୋକ
ସୀତୟା ବିଚ୍ଛେଦେ ଶୋକ
ସୀତୟା ବିଛେଦେ ରାମ ବୁଲି ଘୋର ବନେ
ଖୋଜୁଥିଲେ କାହିଁ ଗଲୁ ଆଗୋ ଚନ୍ଦ୍ରାନନେ ।।
ଖିଆ ନାହିଁ ପିଆ ନାହିଁ ଭୋକ ଶୋଷ ନାହିଁ
ନିଦ ଆସେ ନାହିଁ ଆଖି କଷା ପଡେ ନାହିଁ ।।
ଚାଲିଲେ ନଦିଶେ ବାଟ ବିଧି ହେଲା ବାମ
ଜାନକୀ ବିଛେଦ ଦୁଃଖେ କାନ୍ଦୁଥାନ୍ତି ରାମ ।।
ତୋ କଥାରେ ପ୍ରାଣସହୀ ମୃଗ ସୁବର୍ଣ୍ଣର
ଧରିବା ଆଶାରେ ଗଲି ଧରି ଧନୁ ଶର ।।
ଚାହୁଁ ଚାହୁଁ ମୃଗ ଲୁଚି ଛପି ମୋ ଆଗରେ
ଟାଣି ନେଇ ଗଲା ମୋତେ କାହିଁକେତେ ଦୂରେ ।।
ଶେଷେ ମୃଗ ବଦ୍ଧ କଲି ମାୟାବୀ ରାକ୍ଷସ
ଯାଣି ମୁଁ ନଥିଲି ସଖୀ ତା ମାୟା ରହସ୍ୟ ।।
ବନସ୍ତେ ତୋ ସହ ସହୀ ଦିନ କାଟୁଥିଲି
ତୋ ସ୍ନେହୈ ପ୍ରେମେ ନିଜକୁ ଭୁଲି ଯାଇଥିଲି ।।
ବନବାସ କଷ୍ଟ କେବେ ଦେଇନାହିଁ ଦୁଃଖ
ତୋ ପ୍ରେମ ପୀୟୂଷ ରସେ ସତେ କେତେ ସୁଖ ।।
ସାତ ସପନ ହୋଇଲା ସେ ସୁଖ ସରାଗ
ଭସାଏ ୟେ ଦୁଃଖ ଜଳ ବିଚ୍ଛେଦ ବିରାଗ ।।
ତୁ କେଉଁଠି ଅଛୁ ସଖୀ ବୈଦେହୀ ସୁମୁଖୀ
ତୋ ପାଇଁ ମୋ ଏ ଜୀବନ ବ୍ୟର୍ଥ ଲାଗୁଅଛି ।।
ତୋ ବିହୁନେ ଛଟପଟ ହୁଏ ପ୍ରାଣ ପକ୍ଷୀ
ଜନକ ନନ୍ଦିନୀ ସୁକୁମାରୀ ପ୍ରୀୟ ସଖୀ ।।
ଯହିଁ ସୀତା ନାହିଁ ରାମ ଉପଳ ସମାନ
ତୁ ମୋର ଶକ୍ତି ମୁଁ ତେଣୁ ରଘୁକୂଳ ରାମ ।।