ଶୁଖିଲା ପତ୍ର
ଶୁଖିଲା ପତ୍ର
ଦେହେ ଗାଢ଼ ଥିଲା ସବୁଜର ବର୍ଣ୍ଣ
ସବୁ କିଛି ବେଶୀ ଫୁର୍ତ୍ତି ମନ ଆନ।
ଚଳି ଆସୁଥିଲି ସୁଖେ ଦୁଃଖେ ରହି
ସରସ ସୁନ୍ଦର ଦିଶୁଥିଲି ମୁହିଁ।
ଆଜି ଭଲ ପୁଣି କାଲି କେତେ ଭେଲ
ସବୁ ଜାଣି ଶୁଣି ଖେଳୁଥିଲି ଖେଳ।
ସତେଜତା ଭରା ମୋ ଦେହ ପବିତ୍ର
ମନ୍ଦିର ସେବାରେ ଲାଗଇ ମୋ ପତ୍ର।
ସଜାଇଲେ ଘର ଦୁଆରେ, ଭୋଜିରେ
କେତେ କେହି କଞ୍ଚା ଖାଇଲେ ପାଟିରେ।
କିଏ କେତେ ମୋର ଉପକାର ଜାଣି
ଗଛ ଲଗାଇଲେ ଧାଡ଼ି ଧାଡ଼ି ପୁଣି।
ରଙ୍ଗ ଢଙ୍ଗ କେତେ ମାର୍ଜିତ ଆନନ୍ଦ
ଗୋଲ ଗୋଲ ପତ୍ର ମୁଖରେ ପୂର୍ଣ୍ଣାନ୍ଦ ।
ଔଷଧ ପ୍ରସ୍ତୁତି କରିବା କାର୍ଯ୍ୟରେ
ରକବକ ହୋଇ ତୋଳିଲେ ହାତରେ।
ଦେହ ଧରି ଥିଲି ପ୍ରକୃତ ଜୀବନ
ଧିରେ ଧିରେ ସ୍ନାୟୁ ହୋଇଲା ବିଚ୍ଛିନ୍ନ।
ମନେ ମନେ କେତେ
ଭାବନା ଆସିଲା
ଆଉ କିଏ କାହୁଁ ଖୋଜିବ ବା ଭଲା।
ଶାଖା ମେଲିଥିଲି ସଭିଙ୍କ ସକାଶେ
ଅଲୋଡ଼ା ହୋଇଲି ଭାବିଲି ନିରାଶେ।
କାହିଁ କେତେ ବଳ କୁଆଡେ ସେ ଗଲା
ଅକାଳରେ ପତ୍ର ଶୁଖିଲା ହୋଇଲା।
ଜଳବାୟୁ ମୋର ଦେହରେ ନ ଗଲା
ଶୁଖିଗଲା ପତ୍ର ବିବର୍ଣ୍ଣା ଦିଶିଲା ।
ଝଡ଼ି ଝଡ଼ି ଗଲି ବୟସ ସାଥିରେ
କାହାର କାମକୁ ନ ଆସିଲି ପରେ।
ତଳେ ପଡି କେତେ ଛଟପଟ ହେଲି
କେତେ କେହି ଦଳି ଚକଟିଲେ ଚାଲି।
ଦଇବ ଦଉଡ଼ି ମଣିଷ ଯେ ଗାଈ
ଯେଣିକି ଟାଣିଲେ ତେଣିକି ସେ ଯାଇ।
କି କହିବି କାହା ଗୁଣର ଗାରିମା
ନିଜେ ଜାଣିଗଲି ନିଜର ମହିମା।
ଏହା ଥିଲା ମୋର ନିଜସ୍ଵ ଜୀବନ
ଶୁଖିଲା ପତ୍ରକୁ କରିଲେ ଦହନ।
ପୋଡ଼ି ଜାଳି ପୁଣି କଲେ ପ୍ରଦୂଷିତ
ଜୀବନ ହାରିଲି ଏ ଥିଲା ଚରିତ।