ଶୁଖିଲା ପତ୍ର
ଶୁଖିଲା ପତ୍ର
ରୁକ୍ଷ ହେୟ ଗ୍ରାସେ ନିସ୍ତେଜତା
ଥର ଥର ଭାଳଇ ମଉନେ ,
ହସୁଥିଲା ଖେଳୁଥିଲା
ଲାସ୍ୟମୟୀ ଢଳୁଥିଲା
ଏଇ ପୁବେଇ ପବନେ ,
ଭୟରେ ଭରିଛି ଦେହ
ଦେଖି ତାର କ୍ଷୀଣ ସୁଅ
ପ୍ରମାଦ ଗଣଇ ମନେ ।
ଏ ଧରଣୀ ତା ରଙ୍ଗ ରସରେ
ତା ବିନା ଯେ ରୂପହୀନ ,
ଛାୟା ରୂପେ ଶୀତଳତା
ପୁଣି କେବେ କ୍ଷୁଧାର୍ତ୍ତତା
ସର୍ବେ ଅଭ୍ଯନ୍ତେ ସମାନ ,
ଅନ୍ତ ତାର କ୍ରିୟା କାଳ
ଆସିବେ ନବ ପଲ୍ଵଳ
ଏ ଯେ ବିଧିର ବିଧାନ ।
ଅତୀତକୁ ସାଉଁଳି ସାଉଁଳି
ଆପଣାକୁ ଉଷ୍ଣ କରୁଥାଏ ,
ଯେମିତିକା ଫଳ ପୁଷ୍ପ
ତାର ଯେ ଭିନ୍ନ ଆୟୁଷ
ଥିଲା କଳ୍ପନା ବାହାରେ ,
ନିରିହ ପଥିକ ସୁଖ
କ୍ଷଣିକ ଲିଭାଏ ଦୁଃଖ
ହେଜେ ବିରହ ମନରେ ।