ଶତରୂପା ଉବାଚ
ଶତରୂପା ଉବାଚ
ଶତରୂପା; ମନୁଙ୍କ ବିପକ୍ଷ ଧରା ବକ୍ଷେ ମୁହିଁ ଆଦ୍ୟ ନାରୀ
ମତେ ତୁମେ କହିପାର ଈଭ୍ ବାଇବେଲ ବର୍ଣ୍ଣନାର ପରୀ ।
ପ୍ରକୃତି ମୁଁ ସୃଷ୍ଟିକାରୀ ମୁହିଁ ସର୍ବଂସହା ଧରିତ୍ରୀ ସାକ୍ଷାତେ
ସୃଷ୍ଟିର ଦାୟିତ୍ଵ ବ୍ରହ୍ମା ସ୍ନେହଭରେ ଦେଇଛନ୍ତି ମୋତେ ।
ଅନ୍ନଦାତ୍ରୀ ଲକ୍ଷ୍ମୀ ବିଦ୍ୟାଦାତ୍ରୀ ସରସ୍ଵତୀ ମୁହିଁ ନାରାୟଣୀ
ଦନୁଜ ଦର୍ପଦଳିନୀ ଦୁର୍ଗା ମହାକାଳୀ ନୃମୁଣ୍ଡମାଳିନୀ ।
କନ୍ୟା ମୁହିଁ ଭଗିନୀ ଓ ବଧୁ ଜାୟା ପୁଣି ଜନନୀ ଗୃହିଣୀ
ମୋ ବିନା ସଂସାର ଅସାର କେ ପାରିବ ମୋ ମହିମା ବର୍ଣ୍ଣି ।
ପରିବାର ମୂଳାଧାର ମୁହିଁ ସଂସାରକୁ ସାଇତେ ସମ୍ଭାଳେ
ଅସଜଡା ପୁରୁଷକୁ ମୁହିଁ ମାୟା ବଶେ ମୋ ଛାଞ୍ଚରେ ଢାଳେ ।
ଶରୀର ବଳରେ ଊଣା ଯଦି ହୁଏ ବୁଦ୍ଧି ବଳ ଯୋଗେ
ପୁରୁଷକୁ କରିପାରେ ବଶ ଅଭିମାନ ଅବା ପ୍ରୀତି ରାଗେ ।
ଯୁଦ୍ଧ ବିଭୀଷିକା ମୋ' ଲାଗି କେତେ କେତେ ଯାଇଅଛି ଘଟି
ରାମାୟଣ ସତୀ ସୀତା ମୁହିଁ ମହାଭାରତର ଦ୍ରୌପଦୀ ଟି ।
ମନ୍ଥରା ମୁଁ ସୁପର୍ଣଖା ମୁହିଁ କୈକେୟୀ ମୁଁ ବୀଜ କଳହର
>
ମୋ ଇଶାରେ ପାର୍ଥ ଧନୁ ଧରେ ଭୀମସେନ ସାଜେ ଗଦାଧର ।
କୁନ୍ତୀ ସାଜି ଦୁଃଖର ଚନ୍ଦନ ନୀରିମାଖୀ ମଥାରେ ଲଗାଏ
ସୀତା ସାଜି ଅଗନି ପରୀକ୍ଷା ଦେଇ ବି ମୁଁ ବନବାସ ଯାଏ ।
ନାଚେ ମୁହିଁ ଧୁଡୁକିର ତାଳେ ରାମ୍ପ ଚାଲେ ଫେସନ ସୋ'ରେ
ଉଗ୍ର ଆଧୁନିକ ବେଶେ ସୌନ୍ଦର୍ଯ୍ୟର ବିପଣୀ ପ୍ରସାରେ ।
ବିବସ୍ତ୍ର ମୁଁ ହୋଇଥିଲି ଦିନେ କରିବାକୁ ମହିଷା ନିଧନ
ପୁରୁଷର ବେପଥୁ ଜଗାଏ ପିନ୍ଧି ମୁହିଁ ଅତ୍ୟଳ୍ପ ବସନ ।
ସତୀପ୍ରଥା ଜୁଇରେ ଜଳିଛି ଜଳେ ଆଜି ଯୌତୁକ ଜୁଇରେ
ନିର୍ଭୟା ମୁଁ ମରି ଶୋଇଅଛି ପାଷଣ୍ଡର ଗଣ ବଳାତ୍କାରେ ।
ପରିବାର ସମ୍ଭାଳି ମୁଁ ଯଦି ସମତାଳ ପୁରୁଷକୁ ଦିଏ
ପୁରୁଷର କେଉଁ ହାନି ହୁଏ ଲୋଲୁପ ଦୃଷ୍ଟିରେ ମତେ ଚାହେଁ !
ପୁରୁଷ ବିନା ମୁଁ ଅଧା ମୋ ବିନା ପୁରୁଷ ଅପୂର୍ଣ୍ଣ
ଶକ୍ତିହତ ଶିବ ଶବ ଜ୍ଞାନ ଦୁହେଁ ମିଶି ହୋଇବା ସମ୍ପୂର୍ଣ୍ଣ ।
ସଖା ମୋର ହାତ ମିଶାଇବା ବନ୍ଧୁ ମୋର ଚାଲିବା ଉଦ୍ଦାମ
ପ୍ରକୃତି ପୁରୁଷ ଆମେ ପରିପୁରକତ୍ୱ ହେଉ ଆମ କାମ୍ୟ ।
ବିଶ୍ଵେଶ୍ୱର ମାଝୀ