ଶତ୍ରୁତା
ଶତ୍ରୁତା
ଦୁନିଆ ଭିତରେ ଘର କରିଥିଲେ
ମିତ୍ର ଶତ୍ରୁ ସାମ୍ନା ହେବେ
ଶତ୍ରୁକୁ କେବେବି ଦୁର୍ବଳ ଭାବନି
କାଳ ସର୍ପ ପ୍ରାୟ ଥିବେ ।
ମଧୁର ବଚନ କୁହନ୍ତି ସେମାନେ
ନଇଁଲେ ମାରନ୍ତି ବିଧା
ଚାଲିଗଲାବେଳେ ଦାନ୍ତକୁ ଦେଖାଇ
ଜଳୁଥାନ୍ତି ହୋଇ ଦ୍ଵିଧା ।
ଯଜ୍ଞ କୁଣ୍ଡେ ଯେହ୍ନେ ଘୃତ ସହଯୋଗେ
ପ୍ରଜ୍ବଳିତ ହୁଏ ଶିଖା
ଶତ୍ରୁ ସେମନ୍ତେ ଅନୁସୃତ ଆକାଂକ୍ଷେ
ବିପତ୍ତିକୁ କରେ ଅପେକ୍ଷା ।
କଳିଯୁଗ ଏବେ କଳି ମଞ୍ଜି ବୁଣି
ସୃଷ୍ଟିକୁ କରୁଛି ବିପଦ
ଘରେ ଘରେ କଳି ଭାଇ ଭାଇ ଶତ୍ରୁ
ବିଚିତ୍ର ମାନବ ସମ୍ପଦ ।
ଲୋଭ ମୋହ ମାୟା କରୁଛି ବିସ୍ତାର
ଗୁରୁଜନେ ନାହିଁ ସମ୍ମାନ
ଶତ୍ରୁତାରେ ଜୀଇଁ ଜୀବନ୍ତ ଜଡ଼ରେ
ଧିକ ତୁମର ୟେ ଜୀବନ ।
ଶାନ୍ତି ଶୃଙ୍ଖଳାରେ ସମୟ କଟିଲେ
ମିଳିବ ଜୀବନେ ଶାନ୍ତି
ପରସ୍ପର ସ୍ନେହ ମମତା ମଧ୍ୟରେ
ଦିନକାଟି ନେବା ନୀତି ।
