ଶତାବ୍ଦୀର ସୂର୍ଯ୍ୟ - ମଧୁସୂଦନ
ଶତାବ୍ଦୀର ସୂର୍ଯ୍ୟ - ମଧୁସୂଦନ
ଏ ଜାତିର ଜୀବନ କୋଣାର୍କ
ଦିନେ ବାଲୁକାର ସ୍ତୁପ ତଳେ,
ଦୁନିଆର ସ୍ମୃତିରୁ ଭୁଲାଇ
ପଡିଥିଲା ଶୋଇ ଅନ୍ତରାଳେ ।
ପାଇକର ବୀର ରକ୍ତ ଦିନେ
ପାଣି ଫାଟି ଗଲା ଥଣ୍ଡା ହୋଇ;
ବହୁ ଥିଲା ଯେ ଶୋଣିତ ଦିନେ
ଉନ୍ମାଦନା କେତେ ଯେ ଜଗାଇ ।
ଘନ ଘନ ଶତ୍ରୁ ଆକ୍ରମଣ
ଅନ୍ତର୍ଘାତୀ କାର୍ଯ୍ୟ ବାର ବାର,
ଅବଶେଷେ କଲା ଏ ଜାତିକୁ
ଅବଶ ଓ ଶୂନ୍ୟ ଅନ୍ତଃସାର ।
ଉତ୍କଳର ଅବୟବ ହେଲା
କାଳ କ୍ରମେ ଖଣ୍ଡ ବିଖଣ୍ଡିତ;
ଯଶ ଆଉ ଗାରିମା ହୋଇଲା
ଅବଲୀଳା କ୍ରମେ ଭୂଲୁଣ୍ଥିତ ।
ପରାକ୍ରମୀ ଉତ୍କଳର ବାସୀ
ହୋଇ ଗଲେ ଦରିଦ୍ର ଓ ଦୀନ,
ଭୁଲିଗଲେ କଳା ଆଉ ଶୌର୍ଯ୍ୟ
ମୁଖ ତାଙ୍କ ହେଲା ଶୋକେ ମ୍ଲାନ ।
କୁଳାଂଗାର ବଂଶଜ କର୍ମରୁ
ଦଗ୍ଧ ହେଉଥିଲେ ନିରନ୍ତର;
ଆକୁଳରେ ରହିଥିଲେ ଚାହିଁ
କେବେ ପୁଣି ଲଭିବେ ଉଦ୍ଧାର ।
କେବେ ପୁଣି ଭଗୀରଥ ଜଣେ
ନେବ ଜନ୍ମ ଏ ଜାତିର କୋଳେ !
ଆଣିବ ସେ ଗଂଗାଙ୍କୁ ସ୍ବର୍ଗରୁ
ଉଦ୍ଧରିବା ପାଇଁ ତାଙ୍କୁ ହେଳେ ।
କେବେ ପୁଣି ତାମିସ୍ର ରଜନୀ
ପାହି ହେବ ନବ ଉଷୋଦୟ !
କେବେ ପୁଣି ଭାଗ୍ୟ ନବରବି
ଭାଗ୍ୟାକାଶେ ହୋଇବେ ଉଦୟ ।
ଏହିପରି ଘଡି ସନ୍ଧି କ୍ଷଣେ
ଜନ୍ମ ନେଲେ ଉତ୍କଳ ଗୌରବ,
କଟକର ସତ୍ୟଭାମାପୁରେ
ଏଂତୁଡିରେ କରି କୁଆଁ ରାବ ।
ଚଉଧୁରି ରଘୁନାଥ ପିତା
ଆଉ ମାତା ପାର୍ବତୀଦେବୀର,
ହୋଇଲେ ସେ ତୃତୀୟ ସନ୍ତାନ
ମାସ ଥିଲା ରୁଦ୍ର ବୈଶାଖର ।
ବୈଶାଖରେ ଜନମ ଲଭିଣ
ବୈଶାଖର ସୂର୍ଯ୍ୟ ପରି ଜଳି,
ନାଶ କଲେ ଜାତିର ଅଜ୍ଞାନ
ହୋଇ ସେହୁ ଜ୍ଞାନର ଦୀପାଳି ।
ଓଡିଶାର ପ୍ରଥମ ସ୍ନାତକ
ଆଉ ମଧ୍ୟ ସ୍ନାତକ-ଉତ୍ତର,
ଆଉ ପୁଣି ପ୍ରଥମ ଓକିଲ
ହେଲେ ଏହି ମଧୁ ବାରିଷ୍ଟର ।
ତଥାପି ଏ ଯଶସ୍ବୀ ପୁରୁଷ
ପାଇଁ ଟିକେ ନ ଥିଲା ସ୍ବାଗତ,
ଯେଉଁ ଦିନ ଫେରିଲେ ରାଜ୍ୟକୁ
ଲଭି ଏହି ବିରଳ କୃତିତ୍ବ ।
ବିବେକର ଆହ୍ବାନରେ ସିନା
ହେଲେ ନିଜେ ଖ୍ରୀଷ୍ଟିଆନ ସିଏ;
ମଣିଷର ପରିଚୟ ଟା କି
ଜାତି, ଧର୍ମ-ବିଶ୍ବାସ ରେ ଥାଏ ?
ହିନ୍ଦୁ ଯାହା ନ ପାରିଲେ କରି
ବଡଠାକୁରଙ୍କ ସେବା ଅର୍ଥେ,
ତାହା କରି ଦେଖାଇଲେ ଲଢି
ଅଂଗ୍ରେଜଙ୍କ ସାଥେ ଅଦାଲତେ ।
ଉତ୍କଳର ସେବାରେ ନିଜର
ନିୟୋଜିତ କରି ମନ ପ୍ରାଣ,
ଭାବୁଥିଲେ ଅହର୍ନୀଶ ସେହୁ
କରିବାକୁ ଉତ୍କଳ ଗଠନ ।
ଏକତ୍ରିତ କରି ଉତ୍କଳୀୟ
ଭାଷା-ବାସୀ ଜନପଦ ମାନ,
ଫେରାଇବା ପାଇଁ ଉତ୍କଳର
ପୂର୍ବ ଯଶ ପୂର୍ବର ସମ୍ମାନ ।
ଶିଳ୍ପୋନ୍ନତ କରି ଗଢିବାକୁ
ଓଡିଶାକୁ ହୋଇ ଆଗଭର,
ବସାଇଲେ ଉତ୍କଳ ଟ୍ୟାନେରି
ଢାଳି ନିଜ ସ୍ବେଦ ଓ ରୁଧିର ।
ପୁନର୍ଜନ୍ମ ଦେଲେ କଟକର
ତାରକସି ଶିଳ୍ପକୁ ଆବର,
ଓଡିଶାରେ ତିଆରି ଗହଣା
ବିଲାତରେ ଲଭିଲା ଆଦର ।
ହସ୍ତତନ୍ତ କୁଟୀର ଶିଳ୍ପକୁ
ଦେଲେ ସେହୁ ନୂଆ ଦିଗ୍ଦର୍ଶନ,
ଅର୍ଥନୀତି ଜାତିର ସୁଦୃଢ
କରିବାକୁ ବଳାଇଣ ମନ ।
ପତିତ ଏ ଦଗ୍ଧ ମୃତ୍ତିକାରେ
କଲେ ସେହୁ ପ୍ରାଣର ସଂଚାର,
ପ୍ରାଣୁ ନିଜ ସିଂଚି ସ୍ନେହ-ବାରି
ମାଟିର ଏ ତୁଂଗ ମୂର୍ତ୍ତିକାର ।
ଜାତି ଅର୍ଥେ ଧନ, ପ୍ରାଣ, ମନ
ପୂର୍ଣ୍ଣ ଭାବେ କରି ନିୟୋଜିତ,
କାଳ କ୍ରମେ ହେଲେ ଦେବାଳିଆ
ଉତ୍କଳର ଏହି ବରପୁତ୍ର ।
ପିତାମହ ଭୀଷ୍ମ ପରି ସେହୁ
ଥାଇ ଶତ-ଶର-ଶଯ୍ୟା ପରେ,
ଗଢୁଥିଲେ ଜାତିର ଭବିଷ୍ୟ
ଅନୁକ୍ଷଣ ମାନସ ପଟ୍ଟରେ ।
କୁଳବୃଦ୍ଧ ନ ପାରିଲେ ଦେଖି
ନବୋତ୍କଳ ପ୍ରଦେଶ ଗଠନ ।
ଦୁଇ ବର୍ଷପୂର୍ବରୁଏହାର
ସ୍ବର୍ଗଧାମେ କଲେ ସେ ଗମନ ।
କିନ୍ତୁ ତାଙ୍କ ତ୍ୟାଗ ଓ ତିତିକ୍ଷା
ହେଲା ନାହିଁ ବ୍ୟର୍ଥ କେବେ ଜାଣ ।
ଦୁଇ ବର୍ଷ ଉତ୍ତାରୁ ଏହାର
ନୂଆ ରାଜ୍ୟ ହୋଇଲା ଗଠନ ।
ମାତୃଭାଷା ଓଡିଆ ଭିତ୍ତିରେ
ହେଲୁ ଆମେ ପ୍ରଥମ ପ୍ରଦେଶ ।
ତ୍ୟାଗପୂତ ମହତ ଜନର
ବୃଥା କେବେ ଯାଏ କି ରେ କ୍ଲେଶ ?
ସେହି ଭାଷା ଓଡିଆ ଆମର
ଲଭିଲାଣି ଶାସ୍ତ୍ରୀୟ ସମ୍ମାନ ।
କେତେ ଖୁସି ହେଉ ସେ ନ ଥିବେ
ସ୍ବର୍ଗଲୋକୁ ଏହା ନିରେଖିଣ ।
ଆଜି ଏହି ଶ୍ରାଦ୍ଧ ଦିବସରେ
କରୁଅଛୁ ଏହି ନିବେଦନ,
ଏ ଜାତିର ଭୀଷ୍ମ ପିତାମହ
କର ତୁମେ ଆମକୁ କଲ୍ୟାଣ ।