STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ଶରତର ଶୀରି

ଶରତର ଶୀରି

1 min
256



ଋତୁ ଚକ୍ର କ୍ରମେ  ଆସଇ ଜଗତେ 

     ବିମଳ କାନ୍ତି ଶରତ

ଝରା ଶେଫାଳୀର   ଶୋଭାରେ ମହକେ

     ପ୍ରଭାତରେ ଏ ଜଗତ||

ପୂରୁବେ ଉଅଁଇ   ଶରତର ରବି

    ଲୋହିତ ସିନ୍ଦୁର ଭାଲେ    

ମନକିଣା କାନ୍ତି  ଦେଖି ସତେ ଅବା

    ଉଷା ଚୂମା ଦେଲା ଗାଲେ ||

ଉଷା ଦେବୀ ମଥା   ସିନ୍ଦୁର ଲାଗିଲା

     ଉଦୟ ଭାନୁର ଭାଲେ

ଅଜାଣତେ ତାହା   ନେଶି ହୋଇଗଲା

   ଉଅଁନ୍ତା ରବିର ଭାଲେ ||

ଧରା ପଣତରେ   ଆଲୁଅ ମୁୁରୁଜ

   ଆଙ୍କିଦେଲା ରବିକର

ସମୟ ସାଙ୍ଗରେ  ଗଗନେ ଚଳିଲା

     ହସି ହସି ଦିବାକର||

ନିର୍ମଳ ଆକାଶ   ବିମଳ ପ୍ରକାଶେ

     ଶୁଭ୍ର ରବିକର ଲଭି

ପ୍ରକୃତି ରଚଇ   ଶରତର ରାସ

   ନବ ଯଉବନା ଛବି ||

କୁଳୁ କୁଳୁ ହୋଇ  ବହି ଯାଏ ନଈ

     ଶରତର ଗୀତ ଗାଇ

ପର୍ବତେ ଝରଣା   ରୂପେ ମନ ଜୀଣା

     ଝର ଝର ଯାଏ ବହି||

ମୃଦ୍ୟୁ ମନ୍ଦ ଘାତେ  ପବନ ବହଇ

   ଚପଳ ମତୀ ଲଳନା

ଶିରି ଶିରି ହୋଇ  ଯାଉଅଛି ବହି

    ବଜାଇ ପବନ ବୀଣା||

ସବୁଜ ପଣତ   ଉଡାଇ ଦେଉଛି

   ଧାନ କ୍ଷେତ ହରଷରେ

ଶରତ ପବନେ  ତରଙ୍ଗ ଖେଳଇ

    ଧାନ କ୍ଷେତ ଶରୀରରେ||


ମୁନା ଆନନ୍ଦରେ   ବାପାଙ୍କ କାନ୍ଧରେ

     ବସି ଦେଖେ ତାଙ୍କ ବିଲ

ମାଛ ରଙ୍କା ପକ୍ଷୀ   ଆକାଶେ ଉଡିଣ

    ମାଛସଙ୍ଗେ ଖେଳେ ଗେଲ ||

କେଉଁଠାରେ ପୁଣି   କପଟି ବଗୁଲା

     ଜଳେ ଠିଆ ହୁଏ ଛକି

 ମୀନଟିଏ ଯେବେ   ପାଶକୁ ଆସଇ

     ନିମିଷକେ ଗିଳେ ଝାମ୍ପି ||


ଧାନ କ୍ଷେତ ଦେଖି  ମନ ଯାଏ ଲାଖି

    କର୍ମଠ ଚଷା ଭାଇର

ମିଳି ଯିବ ଏବେ    ପାଇଯିବ ବୋଲି

    ବର୍ଷକ ପାଇଁ ଆହାର||

ଯେଉଁଆଡେ ଦେଖ  ଜହ୍ନି ଫୁଲ ସଙ୍ଗେ

 &nb

sp;  କାକୁଡି ଫୁଲର ସମ୍ଭାର

ଭେଣ୍ଡି ବାଇଗଣ   ଝୁଡଙ୍ଗ କଖାରୁ

     ପରିବା କର ଆହାର ||

ଜୁଇ ଜାଇ ମଲ୍ଲୀ   ଅପରାଜିତାର

     ମହକରେ ମନ ହଜେ

ବିରହିଣୀ ସେହି  ପ୍ରୀତି ଅଭିସାରୀ

  ପ୍ରେମିକକୁ ତାର ଖୋଜେ ||

ଗିରି ବନ ଦେଶ  ସବୁଜ ବେଶରେ

   ଦିଶେ ଅତି ମନୋହର

ପବନ ସେଠାରେ   ବଜାଏ ବୀଣାରେ

    ତା ସଙ୍ଗୀତର ଝଙ୍କାର ।।

ନଦୀଧାରେ ଅବା   ଖୋଲା ପ୍ରାନ୍ତରରେ

   ହସି ହସି କାଶତଣ୍ଡୀ

ଶରତ ପବନେ    ତା ଦେହେ ତରଙ୍ଗେ

    ନାଚିଯାଏ ସେ ଉଦଣ୍ଡୀ||

ପବନ ବୀଣାର   ତାଳେ କାଶତଣ୍ଡୀ 

    ଦୁର୍ଗା ଦେବୀ ଆବାହନୀ

ସଙ୍ଗୀତେ ଶୁଣାଏ   ମାତା ଆସୁଛନ୍ତି

     ସର୍ବ ଦୁର୍ଗତି ନାଶିନୀ ||

ଦିନ ଗଲେ ସରି  ଆସେ ନିଶା ଧରି

   ବିମଳ ଶରତ ଶଶୀ

କୁମୁଦିନୀ ତାର    ପ୍ରୀତି ଅଭିସାରୀ

    ସରସୀରୁ ଦିଏ ହସି ||

ରହେ ସେ ଅନାଇ     ଅନନ୍ତ ଗଗନେ

    ଆନନ୍ଦରେ ଅନୁକ୍ଷଣ

ବିମଳ ଜୋଛନା   ଶୁଭ୍ର ଆଲୋକରେ

    ସନ୍ତାପିତ ତା'ର ପ୍ରାଣ||

ଜହ୍ନ ହସୁଥାଏ  କଇଁ ରସୁଥାଏ

   ପାଗଳୀ ପ୍ରେମିକାଟିଏ

ପ୍ରୀତି ପାଗଳିନୀ  ସରସୀ ଜଳରେ

   ବୁଡୁଯାଇ ଉଠୁଥାଏ||

 ସରସୀ ଜଳରେ  ଭିଜା ଦେହେ ତାର

   ଜହ୍ନର ଶୁଭ୍ର ଜୋଛନା

ହୀରାର ସୌନ୍ଦର୍ଯ୍ୟେ  ଅପୂର୍ବ ଦିଶଇ

    କୁମୁଦିନୀ  ମନକିଣା ||

ପ୍ରକୃତି ସତେକି   ଚନ୍ଦ୍ର କୁମୁଦିନୀ

   ପୀରତି ରାସର କାଳେ

ନଳିନୀ ହୁଡାକୁ   ମହକରେ ଭରେ   

   ଝରା ଶେଫାଳୀରଫୁଲେ 11

ଶରତ ପ୍ରବେଶେ  ଶରତ ପ୍ରକାଶେ

   ଚତୁର୍ଦ୍ଦିଗ ନାଚିଉଠେ

ମାଆ ଦଶଭୂଜା   ଉପାସନା ଲାଗି

   ସର୍ବପ୍ରାଣୀ  ମାତି ଉଠେ11

ଆସ ମାଆ ଦୁର୍ଗା  ଏ ଧରା ଧାମକୁ

   ଶାରଦୀୟ ଅବକାଶେ

ରୋଗ ମହାମାରୀ ଦୁର୍ଗତି ହଟାଇ

    ହସାଅ ତୁମ ଆଶିଷେ ||



Rate this content
Log in

Similar oriya poem from Inspirational