ଶରତ
ଶରତ
ଶରତ ଆସିଲା ମରତ ଭୁଇଁକୁ
ପାର୍ବଣର ଋତୁ ସାଥେ
ନୂଆ ଆଶା ଆଉ ଆଶ୍ୱାସନା ପୁଣି
ମନରେ ଭରିଛି କେତେ ।
କସତାଣ୍ଡି ହସେ ନଈର ପଠାରେ
ପବନେ ଖେଳଇ ଦୋଳି
ନଈ ଆର ପାରି ଘେରାରେ ଏଇନେ
ପାଚିଲାଣି କଣ୍ଟି କୋଳି ।
ଛାଡିଛି ବରଷା ଆସିନାହିଁ ଶୀତ
ବିଲରେ ହସୁଛି ଧାନ
ଶରତ ସମ୍ଭରେ ଦୁଃଖ ହରିବାକୁ
ଦୁର୍ଗା ମାଙ୍କ ଆଗମନ
ସୁଲୁ ସୁଲୁ ବାଆ ଛୁଇଁ ଯାଏ ଯେବେ
ଦେହେ ଶିହରଣ ଖେଳେ
ଶରତର ଶୋଭା ଭାରି ମନଲୋଭା
ମନରେ ଘରଟେ ତୋଳେ ।
ଖରା ବର୍ଷା ଶୀତ ସବୁତ ସୀମିତ
ଶରତର ଆଗମନେ
ସତରେ ଶରତ ଆସି ପହଁଚିଲେ
ଖୁସି ଭରିଯାଏ ମନେ ।