ଶର୍କରାବାହୀ ବଳିବର୍ଦ୍ଦ
ଶର୍କରାବାହୀ ବଳିବର୍ଦ୍ଦ
କ୍ଷଣ ଭଙ୍ଗୁର ସଂସାରରେ ସତ୍ଯାଶ୍ରିତ
ସତ୍ଯବାନ ସାଜିବା ନୁହେଁ ଧୂଳି ଖେଳଘର
ସଂସାରର ଗୃହସ୍ଥାଶ୍ରମ ଯେ
କେଡ଼େ ଦୁଃସାଧ୍ୟ କୁଚ୍ଛ୍ର ସାଧନା
ଦୂରୁହ ଜଟିଳ ବ୍ୟାପାର ବିଷମ ଜଞ୍ଜାଳ,
ମଦମତ୍ତ ତାରୁଣ୍ୟର ଉଦ୍ଧାମତାରେ
ଏଇ ମଣିଷର ହୁଅଇ ହେଳାରେ ପାଶୋର
ତଥାପି ସଭିଏଁ ଅଳ୍ପେ ବହୁତ ସଂସାରର
ମହୁଆ ମୋହରେ ବିଭୋର
ଆଗତ ଭବିଷ୍ଯର ନାହିଁ ତ ବିଚାର।
'ଦୂର ପାହାଡ଼ ସୁନ୍ଦର' ନ୍ୟାୟରେ
ସଂସାର ଦିଶଇ ଆକର୍ଷଣୀୟ ସଦାସର୍ବଦା ଦୂରରୁ
ଇନ୍ଦ୍ରଧନୁ ପରି ଲାଗଇ କେଡ଼େ ମନୋହର
ରଙ୍ଗମୟ ରମଣୀୟ ବହୁବର୍ଣ୍ଣର ସେଠି ସମାହାର
ତାରୁଣ୍ୟର ଉଦ୍ଧାମତାରେ ଜୀବନର ପିଛିଳ ପଥରେ
ସଂସାରୀ ସାଜିବାର ଅଦମ୍ୟ ଅଭିପ୍ସା ଯେ
କେତେ କଠୋର ତପସ୍ୟା
ଭାଇ ବନ୍ଧୁ କୁଟୁମ୍ବର ମନ ନେଇ
ଚଳିବା ଯେ କେତେ କଠିଣ କାରିଗରୀ ବିଦ୍ଯା
କେବଳ ଜାଣଇ ଏକା ଅନୁଭବୀ
'ଆପଣା ହସ୍ତେ ଜିହ୍ଵା ଛେଦି କେ ଅଛି ତା'ର ପ୍ରତିବାଦୀ?'
ବୃଦ୍ଧ ମାତାପିତାଙ୍କ ରୋଗ ବଇରାଗ ପଥୀ ଔଷଧ
ପୁତ୍ରକନ୍ଯାଙ୍କ ତମାମ ଅଳିଅର୍ଦ୍ଦଳି ଅଭିଯୋଗ
ସହଧର୍ମିଣୀଙ୍କ ମାନ ଅଭିମାନ ଗୁମାନ
ଅଭାବ ଅନାଟନ ଅସୁବିଧା ମାନସିକ ଦ୍ବିଧା
ପାଖ ପଡିଶା ଅବା ଦୂର ସମ୍ପର୍କୀୟଙ୍କ ଆଶା ଆକାଂକ୍ଷା
ସାମାଜ ଆଉ ସଂସାରର ଗୁରୁଦାୟିତ୍ବ
ଘରଦ୍ବାର ଦପ୍ତର ଜମିବାଡ଼ି ଧନସମ୍ପତ୍ତି ପ୍ରଭାବ ପ୍ରତିପତ୍ତି
ଅର୍ଥାର୍ଜନ ପାଇଁ ଇତସ୍ତତଃ ଧାଁଦୌଡ଼
ପୁଣି "ମୁଁ" କାରର ବୋଝ ବହନ କରି କରି ବିତିଯାଏ ଯୌବନ
"ଶର୍କରାବାହୀ ବଳିବର୍ଦ୍ଦ" ପରି ଏଠି ସତ୍ଯବାନ
କରି ପାରେନି ସାଂସାରିକ ଜୀବନର ବିମଳ ମଧୁ ଆସ୍ବାଦନ
ଜାଣି ପାରେନି ସଂସାର ସୁଖର ଅସରନ୍ତି ଗନ୍ତାଘର
ଅବା ଏଠି ସୁଖ ମାତ୍ର ମରୀଚିକା ମରୁମାୟା
ପ୍ରହେଳିକା ଛଳନାର ଘନ କୁଝଟିକା
ଅଳିକ କ୍ଷଣିକ ନିମିଷକର ମୋହ ମାୟା।
ସତ୍ଯ ନ୍ୟାୟକୁ ପାଥେୟ କରି ତମାମ ଜୀବନ
ବୋଝ ବୋହିବାଟା ଏଠି ସତ୍ଯବାନର ନୈତିକ କର୍ମ
ସବୁକିଛି ଦୁଃଖ କଷ୍ଟ ଯନ୍ତ୍ରଣା ନିଶ୍ଚୁପରେ ଉଦାତ୍ତ ଚିତ୍ତରେ
ସହିଯିବାଟା ତାହାର ଏକନିଷ୍ଠ ଗୃହସ୍ଥ ଧର୍ମ
ପୁରୁଷାର୍ଥ ଚତୁଷ୍ଟୟ ପ୍ରାପ୍ତିର ପ୍ରକୃଷ୍ଟ ଉପାୟ ଉତ୍କୃଷ୍ଟ ମାଧ୍ୟମ
ବିନା ପ୍ରତ୍ଯାଶାରେ ନିଷ୍କାମ କର୍ମ କରି ଚାଲିବାଟା
ହଁ ତାହାର କପାଳ ଲିଖନ ବିଧିର ବିଧାନ
ଘଟିଲେ ଏଥିରେ ତିଳେ ମାତ୍ର ବିଚ୍ଯୁତି ବ୍ଯତିକ୍ରମ
ଶୁଣିବାକୁ ମିଳେ କେତେ ଅପବାଦ କେତେ ବିଶେଷଣ
ଭୋଗିବାକୁ ପଡେ ନାନାଦି ଅକଥନୀୟ କଷଣ।
ଆଇନକାନୁନର ଦାଓପେଞ୍ଚ ବନ୍ଧୁ ପରିଜନ ବର୍ଗର
ଅନାବଶ୍ୟକ ଅଥଚ ଅନିର୍ବାର୍ଯ୍ଯ ଚାପ ଟାହିଟାପରା
ନିଷ୍କରୁଣ କୁଠାରଘାତରେ ଭାରାକ୍ରାନ୍ତ
ସମାଜ ଓ ସଂସାରର ନୀତି ନିୟମରେ କାରାରୁଦ୍ଧ
ସତ୍ଯବାନର ନିରିହ ପୈତୃକ ପ୍ରାଣ
ସଂସାରର ରଥଚକ ତଳେ ବିଳପି ଉଠେ
ଡାକେ ଅନବରତ 'ତ୍ରାହି ମାମ୍' 'ତ୍ରାହି ମାମ୍'
ଖୋଜେ ଅବିରତ ପରମାର୍ଥ - ପରିତ୍ରାଣ - ନିର୍ବାଣର ସନ୍ମାର୍ଗ
ଶାଶ୍ୱତ - ନୈସର୍ଗିକ - ଦେହାତୀତ ପ୍ରଶାନ୍ତିର ମୁକ୍ତିପଥ।
ଶ୍ରମଣ ଅବା ସନ୍ନ୍ୟାସୀ ସାଜି ଗୈରିକ ବସନ ପରିଧାନ କରି
ନିର୍ଜ୍ଜନ ଅଗନାଅଗନି ବନସ୍ତରେ ଅବା
ହିମାଳୟର ପ୍ରଶାନ୍ତ କୋଳରେ ସାଧନା କରିବା ସହଜ
ସୁବିଧାବାଦୀ ଚିନ୍ତାଧାରା ପଳାୟନ ପନ୍ଥୀ ମାନସିକତା
ମାତ୍ର ଏଠି ଗୃହସ୍ଥ ସଂସାରୀ ସାଜି
ଖଣ୍ଡାଧାରରେ ବାଟ ଚାଲିବା ଦୁଷ୍କର
ପ୍ରତିଟି ଗୃହସ୍ଥ ମଣିଷ ଗୋଟିଏ ଗୋଟିଏ ବୁଦ୍ଧ
ପରନ୍ତୁ ଫରକ ଏତିକି କର୍ତ୍ତବ୍ୟପରାୟଣତାର
ସୁଦୃଢ଼ ଶିକୁଳିରେ ଆମୃତ୍ଯୁ ଆବଦ୍ଧ
ଡେରିରେ ହେଲେ ବି ହେଲାଣି ହୃଦବୋଧ
ଅନିତ୍ୟ ସୁଖ ସମ୍ଭୋଗ ନୁହଁଇ ତିଳେ ବି ସୁଖପ୍ରଦ
ଶ୍ରାବଣ କି ଫଗୁଣରେ ମନ ହେଉନି ମଦମତ୍ତ
ସତ୍ଯବାନ ଆଜି ଆଉ ଲୋଡୁ ନାହିଁ ଦୀର୍ଘାୟୁ ଜୀବନ
ସଂକ୍ଷିପ୍ତ ହେଉ ପଛକେ ଆୟୁଷ ତାହାଙ୍କ
ହେଉ ଶାର୍ଦ୍ଦୁଳ ପରାୟ ଶୌର୍ଯ୍ୟବାନ ସାର୍ଥକ ଅର୍ଥପୂର୍ଣ୍ଣ।
ଯେବେ ସତ୍ଯବାନ ଜୀବନ ପ୍ରତି ବୀତସ୍ପୃହ
ଜୀଇଁବାକୁ ପରାଙମୁଖ ସଂସାର ବିମୁଖ
ସବୁ ଜାଣିକରି ସାବିତ୍ରୀ ଆଉ କିଆଁ କରିବେ ମନଦୁଃଖ?
କାହିଁକି ବା କରିବେ ଏଥିପାଇଁ ପୁଣି ମନସ୍ତାପ?
ସତ୍ଯବାନଙ୍କ ପାଇଁ ତ ହିଁ ସାବିତ୍ରୀଙ୍କ ସତ୍ତା
ସିଏ ତ ପାର୍ଥିବ ଅପାର୍ଥିବ ତଥା
ଇହକାଳ ପରକାଳର ଦେବତା
କେତେ କଥା କେତେ କିମ୍ବଦନ୍ତୀ
କେତେ ଓଷା ବ୍ରତ ନିର୍ଜଳା ଉପବାସ
କେବଳ ଏଇ ସତ୍ଯବାନଙ୍କ କୁଶଳ ମଙ୍ଗଳ ପାଇଁ
ସକଳ ପ୍ରଚେଷ୍ଟା ବୃଥା ଯିବ କିମ୍ପାଇଁ?
ସତ୍ଯନିଷ୍ଠ ସତ୍ଯବାନ ସୃଷ୍ଟିର ବିରଳ ପ୍ରଜାତି
ସହଜେ ହାତଛଡ଼ା କରିବେ କେମନ୍ତେ?
ନଛୋଡ଼ବନ୍ଧା ଅଥଚ ପତିବ୍ରତା ସାବିତ୍ରୀ
ତାହାଙ୍କ ପ୍ରାଣ ରକ୍ଷା ପାଇଁ ସେ କରି ପାରିବେ ସବୁକିଛି
ଦୃଢ଼ ଆତ୍ମ ପ୍ରତ୍ୟୟ ଭକ୍ତି ଶକ୍ତି ଅନୁରକ୍ତି ପାଶରେ ନିଶ୍ଚିତ
ହାର ମାନିବେ ସ୍ଵୟଂ ଜନ୍ତୁରାଣ ଜନ୍ତୁପତି
ସାବିତ୍ରୀଙ୍କ ବିହୁନେ ସତ୍ଯବାନଙ୍କ ନାହିଁ ଅନ୍ୟ ଗତି
କାଳେ କାଳେ ଦୁଇ ଟୋପା ଲୁହ ପାଖରେ ପରାଜିତ
ପ୍ରସ୍ତର ହୃଦୟଧାରୀ ବଳିଷ୍ଠ ସଶକ୍ତ ସମର୍ଥ ପୁରୁଷ
ଅଗତ୍ୟା ଐକ୍ୟର ରଜ୍ଜୁରେ ବନ୍ଧା ଚିରକାଳ
ସତ୍ଯବ୍ରତୀ ସତ୍ଯବାନ ଓ ପତିବ୍ରତା ସାବିତ୍ରୀ
ଧୂମ ପରି ଉଭେଇଯାଏ ଯେତେକ
ଅଳି ଅଝଟ ଅଭିଯୋଗ ଆପତ୍ତି।
ଅପରିମିତ କାମନା ଆଉ ନିର୍ବାଣ ପ୍ରାପ୍ତିର ଆକାଂକ୍ଷା
ମୋହ ମାୟା କାମ କ୍ରୋଧ ମାତ୍ସର୍ଯ୍ଯ ବିଜଡିତ ଗୃହସ୍ଥି
ଜଞ୍ଜାଳ ବିହିନ ପ୍ରତ୍ଯାଶା ଶୂନ୍ଯ ନିର୍ଲୋଭ ସନ୍ନ୍ୟାସ
ମଧ୍ୟରେ ଚାଲିଥିବା ନିତିଦିନିଆ ଏଇ ଟଣାଓଟରା
ବେଶ୍ ପୁରୁଣା ଠିକ୍ 'ଧନୁ ଆଉ ତୀର' ପରି
ଦୁହିଁଙ୍କୁ ନଇଁବାକୁ ପଡେ ଲୋକାଚାରର ତାଡ଼ନାରେ
ଦୁହେଁ ଦୁହିଁଙ୍କ ପରିପୁରକ ଅଙ୍ଗାଙ୍ଗୀ ଭାବେ ଜଡିତ
ଜଣେ ସହଣିକ ତ ଆରେକ ଏକବାରକେ ସମ୍ପୂର୍ଣ୍ଣ ବିପରୀତ
ତଥାପି ଦାମ୍ପତ୍ୟ ସାହଚର୍ଯ୍ୟ ଓ ସହଭାଗିତାର ମହାମନ୍ତ୍ରରେ
ଉଭୟ ଅଭିମନ୍ତ୍ରିତ ପାରିବାରିକ ସୂତ୍ରରେ ଐକ୍ୟବଦ୍ଧ
ଚର୍ବିତ ଚର୍ବଣ ରୀତିରେ ପ୍ରଚଳିତ ପ୍ରଥା ପରମ୍ପରାର ଦ୍ବାହିରେ
ଚିରାଚରିତ ଢଙ୍ଗରେ ସଂସାର ଶଗଡ଼ ଗୁଳାରେ
ଗଡି ଚାଲିଛି ଏଇ ମହାର୍ଘ ଜୀବନ ଆଗକୁ ଆଗକୁ
ଗଡି ଚାଲିଥିବ ଏମିତି ଅନନ୍ତ କାଳଖଣ୍ଡ ପର୍ଯ୍ୟନ୍ତ
ପ୍ରାପ୍ତି ଅପ୍ରାପ୍ତିର ହିସାବ ନିର୍ବିଚାରରେ।
