ଶ୍ରୀଜଗନ୍ନାଥ ପଞ୍ଚକମ୍
ଶ୍ରୀଜଗନ୍ନାଥ ପଞ୍ଚକମ୍
(ମୂଳ ସଂସ୍କୃତରୁ ଭାବାନୁବାଦ )
(1)
ସୁନ୍ଦର ବଦନ ତଵ ପଦ୍ମ ନେତ୍ର ଦୁଇ l
ରକ୍ତଅବ୍ଜ ଶୋଭାରାଶି ଗର୍ବକୁ ଗଞ୍ଜଇ ll
ଶିରରେ ହେମମୁକୁଟ ଗଳେ ରତ୍ନହାର l
କର୍ଣ୍ଣରେ ରତ୍ନ କୁଣ୍ଡଳ ଅତି ମନୋହର ll
ନବଘନ କଳେବର ଉପମା କି ଦେବା l
ମାଳାମାନ ଲମ୍ବିଥାଇ ସମୁନ୍ନତ ଗ୍ରୀବା ll
ପାରୁଶରେ ବିଜେ ଚକ୍ର ରାଜ ସୁଦର୍ଶନ l
ଭଜେ ଶ୍ରୀନୀଳାଦ୍ରୀନାଥ ପ୍ରସନ୍ନ ବଦନ ll
(2)
ଫୁଲ୍ଲେନ୍ଦୀବର ଲୋଚନୁ ଚକ୍ଷୁ ନ ଫେରଇ l
ନୀଳ ନବଘନ କାନ୍ତି, ଉପମା ତା' କାହିଁ ll
ଜଗତ ଠାକୁର ଆହେ ପ୍ରଭୁ ଜଗନ୍ନାଥ l
ପଦ୍ମ ପୟର ପୁଜନ୍ତି ଯାର ଚୋଉମାଥ ll
ଦୈତ୍ୟସଂହାରଣ ତଵ ନାମ ଦଇତାରୀ l
ବିମଳେନ୍ଦୁ ମୁଖ ତଵ ଶଙ୍ଖ ଚକ୍ର ଧାରୀ ll
ବନ୍ଦେ ପରମ ପୁରୁଷ ଶ୍ରୀପୁରୁଷୋତ୍ତମ l
ଶ୍ରୀପୀଠେ ନିତ୍ୟପୂଜିତ ପରଂବ୍ରହ୍ମ ନମଃ ll
(3)
ଉଦିତ ନୀରଦ ତନୁ ଶୋଭା ଚନ୍ଦ୍ରମୁଖ l
ରାଜୀବଲୋଚନ କୃପା ବାରିଧି ମୟୂଖ ll
ଭକ୍ତ ଚିନ୍ତାମଣି ପ୍ରଭୁ ଦୟାର ସାଗର l
ଦର୍ଶନେ ତାଙ୍କର ସର୍ବଦୁଃଖ ଯାଏ ଦୂର ll
ବନ୍ଦେ ପରମ ପୁରୁଷ ଶ୍ରୀପୁରୁଷୋତ୍ତମ l
ତୀର୍ଥଚିନ୍ତାମଣି ନୀଳାଦ୍ରୀଶ ନମଃନମଃ ll
(4)
ସର୍ବାଳଙ୍କାର ଶୋଭିତ ରତ୍ନସିଂହାସନେ l
ଶଙ୍ଖକ୍ଷେତ୍ରେ ଶତଦଳ କମଳ ଆସନେ ll
ସାଥେ ଛନ୍ତି ବଳରାମ ଅଚ୍ୟୁତ ଅଗ୍ରଜ l
ନବଘନ କାନ୍ତି ଧର ବିଜେ ଦେବରାଜ ll
ବାମଭାଗେ ସୁଭଦ୍ରିକା ଦକ୍ଷେ ସୁଦର୍ଶନ l
ସ୍ଵଜନେ ଚତୁର୍ଦ୍ଧାମୂର୍ତ୍ତି କେଡ଼େ ଶୋଭାବନ ll
ବ୍ରହ୍ମା ରୁଦ୍ର ଇନ୍ଦ୍ର ବନ୍ଦ୍ୟ ବେଦଙ୍କର ସାର l
ସ୍ମରେ ବ୍ରହ୍ମଦାରୁ, ଦାରୁ ବ୍ରହ୍ମ ନମସ୍କାର ll
(5)
କାଦମ୍ବରୀ ପ୍ରୀୟ ହସ୍ତେ ଲଙ୍ଗଳ ମୁଷଳ l
ରତ୍ନହାର ଗଳେ ଶୋଭା କର୍ଣ୍ଣରେ କୁଣ୍ଡଳ ll
ବିପୁଳ ଭୁଜ ବିସ୍ତାରି ବିଜେ ସିଂହାସନ l
ସାରା ଅବନୀ ମଣ୍ଡଳ କରି ଆକର୍ଷଣ ll
ଶିରେ ଶୋଭେ ନାଗରାଜ ଚାରୁ ଗଣ୍ଡସ୍ଥଳ l
ସଂଗ୍ରାମେ ଚପଳ ରୂପ ଶଶାଙ୍କ ଧବଳ ll
ନମସ୍ତେ ଶ୍ରୀ କାମପାଳ ହଳୀ ସଙ୍କର୍ଷଣ l
ରୋହିଣୀନନ୍ଦନ ପ୍ରଭୁ ରେବତୀରମଣ ll
ଶ୍ରୀ ଜଗନ୍ନାଥ ପଞ୍ଚକ ସମାପ୍ତ ହୋଇଲା l
ଭଜ ଶ୍ରୀନୀଳାଦ୍ରୀନାଥ ନକରିଣ ହେଳା ll
ଶ୍ରୀଜଗଦୀଶ୍ଵରଙ୍କର ଏ ଦିବ୍ୟ ପଞ୍ଚକ l
ଅଭ୍ୟାସ କର ସାଜୁଯ୍ୟ ମୋକ୍ଷ ପ୍ରଦାୟକ ll
