ସହରୀ ସପନ
ସହରୀ ସପନ
ମଣିଷ ମନର ଆଶା ଭାବ ଭାବନାରେ
ଲତା ଗୁଳ୍ମ ପ୍ରାୟେ ବଢ଼େ ଡ଼ଙ୍କେଇ ବଙ୍କେଇ
ଅନାବାଦୀ ମରୁ ମୃତ୍ତିକାରେ ଡାଳ ପତ୍ର ମେଲି।
ଫୁଟେ ତହିଁ ଜାତି ଜାତି ସପନର ଫୁଲ
ଉଲ୍ଲସିତ ହୁଏ ପ୍ରାଣ ଦିଏ ପୁଲକ ଖେଳାଇ।
ଭୋଗ କରିବାକୁ ସବୁ ଐଶ୍ଵର୍ଯ୍ୟ ପ୍ରାଚୁର୍ଯ୍ୟ
କରି ଅଭିଳାଷ ତୋଳେ ସେ କଳ୍ପନାର ସୌଧ।
ଗଜଦନ୍ତ ପଲଙ୍କର ଦୁଗ୍ଧ ଫେନନିଭ ଶଯ୍ୟାରେ
ସହରୀ ସପନ ଦେଖେ ଚେଇଁ ଶୋଇ ଶୋଇ।
ସବୁ ସପନ କି ହୁଏ ବାସ୍ତବରେ ରୂପାୟନ
ପାର୍ଥିବ କାମନା ବାସନାର ଉତ୍କଟ ନିଶା।
କରାଏ ବିହ୍ବଳ ହୁଏ ତା' ପ୍ରଭାବରେ ପାଗଳ
ପ୍ରତିଦ୍ବନ୍ଦିତାର ସମୟ ସୁଅରେ ଯାଏ ଭାସି।
ଏକ ଶୁଷ୍କ ପତ୍ର ସମ ନିଜର ନିୟନ୍ତ୍ରଣ ହରାଇ
ସହରୀ ସପନର ଯାଦୁରେ ହୁଏ କାବୁ।
ସେ ଯେ ମାୟାପୁରୀର ମାୟା ଜାଲ ଘେରା
ମରୀଚିକା ପରି ମରୁ ପ୍ରାନ୍ତରକୁ ଓଟାରି ନିଅଇ।
ଆଖି ଅଛି ସେ ଆଖି ସପନ ଦେଖିବ ନିଶ୍ଚିତ
ସେ ସପନ ଯେ ନିଦ୍ରାର ଏକ ଅବାସ୍ତବତା।
ଏକାନ୍ତରେ ଦେଖୁଥାଏ ନିଜ ସ୍ବତନ୍ତ୍ରତା ହରାଇ
ଭାଙ୍ଗିଯାଏ ଯେବେ ସହରୀ ସପନ ତା'ର ।
ଦେଖେ ଖାଲି ଶୂନ୍ୟ ଶୂନ୍ୟତାର ସବୁ ଛାଉଣି
ବିକଳେ ବିଳାପେ ନିଜ କାନ୍ଦ ନିଜେ ଶୁଣି।
ସରିଯାଏ ରାତି ସରେନା ସେ ସହରୀ ସପନ
ଚାକଚକ୍ୟ ରୂପ ତାର କୁହୁକର ପେଡ଼ି।
ଘନ ଘନ ବଦଳାଏ ରଙ୍ଗ ତରଙ୍ଗ ଖେଳାଇ
ସପନ ଆଉ ବାସ୍ତବତାର ଫରକ ନ ଜାଣି।
ପଥହରା ହୁଏ ଯିଏ ଦିଏ ସେ ଠିକଣା ହଜାଇ
ଶ୍ରମ ସାଧନା ବିନା ଜଣେ ଛୁଏଁ ନାହିଁ କେବେ।
ସାର୍ଥକତାରେ ସଫଳତାର ଶୀର୍ଷସୀମା
ଅବା ପାଏନା ସୁଖ ସନ୍ତୋଷ ଶାନ୍ତି ତୃପ୍ତି ଜମା।
ସଭ୍ୟତାର ଅଗ୍ରଗତିରେ ଦେଖେ ସହରୀ ସପନ
ସରସ ସୁନ୍ଦର କରିବାକୁ ତା'ର ଜୀବନ।
ହୁଏ ଯେବେ ବ୍ୟତିକ୍ରମ କଷ୍ଟ ଭୋଗେ ଦାରୁଣ
ଜୀବନର ଯନ୍ତ୍ରଣା ହୁଅଇ ନୈରାଶ୍ୟ କରୁଣ।
ବୁଦ୍ଧି ବିବେକ ଜ୍ଞାନକୁ କରେ ଯିଏ ପାଥେୟ
ସଜାଡ଼ି ତା' ଜୀବନ ସଂସାରକୁ କରେ ମଧୁମୟ।
ସହରୀ ସପନ ଦେଇଥାଏ ପ୍ରଗତିର ଆହ୍ଵାନ
କରି ତା'ର ସଠିକ୍ ସମୀକ୍ଷା କଲେ ଅଭିଯାନ।
ଆଶା ଆକାଂକ୍ଷାର ଇଚ୍ଛା ହୋଇଥାଏ ପରିପୂର୍ଣ୍ଣ
ନତୁବା ସହରୀ ସପନ ମନରେ ପ୍ରାଣରେ
କେବଳ କାଳରାତ୍ରୀର ଏକ ଉଦ୍ଭଟ ଚିତ୍ରଣ।
