STORYMIRROR

Kulamani Sarangi

Classics

4  

Kulamani Sarangi

Classics

ଶ୍ରଦ୍ଧା ସୁମନ

ଶ୍ରଦ୍ଧା ସୁମନ

2 mins
120

(ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ୬୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ)

---------------------------------------------------------------------

ହେ ଗୋଦାବରୀଶ ! ହେ ପ୍ରାତଃ ନମସ୍ୟ

ବରପୁତ୍ର ଓଡିଶାର,

ଶ୍ରଦ୍ଧାର ସୁମନ କରୁଛି ଅର୍ପଣ

ସାଦରେ ଗ୍ରହଣ କର।


ଯେଉଁ ସମୟରେ ଓଡ଼ିଶା ମାଟିରେ

ହୋଇଲା ତୁମ୍ଭ ଜନମ,

ଘୋର ଅନ୍ଧକାରେ ଭରି ରହିଥିଲା

ସାରା ପ୍ରଦେଶ ଅଙ୍ଗନ।


ଦାରିଦ୍ର୍ୟ ରାକ୍ଷସୀ ଦେଇଥିଲା ଗ୍ରାସି

ଓଡ଼ିଆର ମାଂସ ହାଡ଼,

ସଂସ୍କାର, ସଂସ୍କୃତି ଜାଳି ଦେଇଥିଲା

କୁସଂସ୍କାର ନିଆଁ ରଡ଼।


ଗୋରା ସରକାର ସାଜିଥିଲା ଚୋର

ଆମରି ଭାତହାଣ୍ଡିର,

ମାରୁଥିଲେ ଲାତ ପେଟକୁ ନିର୍ଘାତ

ପିଠିରେ ଦେଇ ପାହାର।


ଉତ୍କଳ ଜନନୀ କାନ୍ଦୁଥିଲା ପୁଣି

ଝରାଇ ଆଖିରୁ ଲୁହ,

ବନ୍ୟା ମଡକ ଦୈବୀ ଦୁର୍ବିପାକ

ଲାଗିଥିଲା ଅହରହ।


ପିଠି ପାଇଁ କନା ପେଟ ପାଇଁ ଦାନା

ନପାଇ ଓଡ଼ିଆ ପୁଅ,

ବୁଲେ ଥାଳ ଧରି କଙ୍କାଳପରି

ଆଖିରୁ ଝରାଇ ଲୁହ।


ସେହି ସମୟରେ ବାଣପୁର ଠାରେ

ଶ୍ରୀନିବାସପୁର ଗ୍ରାମେ

ଦରିଦ୍ର ବ୍ରାହ୍ମଣ ଘରେ ହୋଇଜନ୍ମ

ଆସିଥିଲ ଧରାଧାମେ।


ତୁମ୍ଭ ପିଲାଦିନ ଯେ ଦୁଃଖ ଦୁର୍ଦ୍ଦିନ

ଶୁଣିଲେ କାନ୍ଦେ ଅନ୍ତର,

ଖଣ୍ଡେ ଧୋତି ସଙ୍ଗେ ଥିଲା ତୁମ୍ଭ ଅଙ୍ଗେ

ଫତେଇ ଖଣ୍ଡେ ମାତର।


ରବି ବାସରରେ ଦେଇ ଧୋବାଘରେ

ଲୁଚି ରହୁଥିଲେ ଘରେ,

ସଫାକରି ତାକୁ ଦେଲେ ସେ ସଞ୍ଜକୁ

ବାହାରୁଥିଲ ବାହାରେ। 


ପରଘରେ କରି ରୋଷେୟା ଚାକିରି

ପୋଷୁଥିଲ ନିଜ ପେଟ,

ଧ୍ରୁବତାରା ସମ ଲକ୍ଷଥିଲା ତୁମ

ପଢିବାକୁ ଭଲ ପାଠ।


ଦାରିଦ୍ର୍ୟ ନିଆଁରେ ଜଳୁଥିଲ ତୁମେ

ଦିକ୍ ଦିକ୍ ସୁନା ହୋଇ,

ପଣ ନେଇଥିଲ ଉତ୍କଳ ଜନନୀ

ଦୁଃଖ ଘୁଞ୍ଚାଇବା ପାଇଁ।


ଇଂରାଜୀ ଭାଷାରେ ତୁମ୍ଭ ସମକ୍ଷରେ

ନଥିଲେ ନିପୁଣ କେହି,

ଗୋରା ସରକାର କଲେ ଆମନ୍ତ୍ରଣ

ବିଲାତକୁ ଯିବାପାଇଁ।


କେତେ ପ୍ରଲୋଭନ ତୁମ୍ଭେ ହେ ମହାନ!

କରିଥିଲ ପ୍ରତ୍ୟାଖ୍ୟାନ,

ଚାହିଁଥିଲେ ତୁମ୍ଭେ ପାଇ ପାରିଥାନ୍ତ

ଗୋରାଙ୍କ ଶ୍ରେଷ୍ଠ ସମ୍ମାନ।


ହୋଇ ପ୍ରଶାସକ ଦୀନ ଓଡ଼ିଆଙ୍କ

ତଣ୍ଟି ଚିପି ପାରିଥାନ୍ତ,

ସବୁ ପ୍ରଲୋଭନ ଛାଡି ଦୃଢକଲ

ଗୋପବନ୍ଧୁଙ୍କର ହାତ।


ବକୁଳ ବନରେ ଶିକ୍ଷକ ବୃତ୍ତିରେ

ମଣିଷ ଗଢ଼ିବା ପାଇଁ,

ତିରିଶି ଟଙ୍କାର ବେତନ ମାତର

ଥିଲଟି ଆଦରିନେଇ।


ତିଳ ତିଳ କରି ଜୀବନ ସଳିତା

ଦେଶ ପାଇଁ ଦେଲ ଜାଳି,

କଳିର ମଣିଷ ହୋଇ ବି ତୁମକୁ

ଛୁଇଁ ପାରିଲାନି କଳି। 


ଶିକ୍ଷା ସଂସ୍କୃତିର ଆଲୋକ ଜଳାଇ

ଏ ଅନ୍ଧାରି ପ୍ରଦେଶରେ,

କମର କଷିଲ ଲଢିବା ପାଇଁକି

ତୁମେ ଗୋରାଙ୍କ ସଙ୍ଗରେ।


ବିଦ୍ୟା ସାଗରଙ୍କୁ ଆଦର୍ଶ ଭାବରେ

ଜୀବନରେ ଥିଲ ଗଣି,

ଦୁଃଖ ଦୁର୍ଦ୍ଦିନର ନିଆଁରେ ସେ ଦିନେ

ଜଳୁଥିଲେ ହୋଇ ମଣି।


ପ୍ରଜ୍ଞା ଥିଲେ ସ୍ଥିତ ଜୀବନେ କିଛି ତ

ସମ୍ଭବ ଯେ ହୋଇପାରେ,

ଗୀତାର ଏ ଦିବ୍ୟ ବାଣୀକୁ ସାର୍ଥକ

କରିଥିଲ ଜୀବନରେ।


ବିଚ୍ଛିନ୍ନ ଅଞ୍ଚଳ ଓଡ଼ିଶା ସହିତ

ମିଶାଇବା ଅଭିଯାନେ,

ଚକ୍ରଧରପୁର ଠାରେ ବିଦ୍ୟାଳୟ

ସ୍ଥାପନା କରିଲ ଦିନେ।


ତୁମ୍ଭ ଅବଦାନ ଦିନେ ହେ ମହାନ!

ଜିଣିଥିଲା ଜନମନ,

ଜନ ପ୍ରତିନିଧି ହୋଇ ସରକାରେ

ପାଇଥିଲ ମନ୍ତ୍ରୀ ସ୍ଥାନ।


ତୁମ୍ଭ ପ୍ରଚେଷ୍ଟାରେ ଓଡ଼ିଶା ଭୂଇଁରେ

ପ୍ରତିଷ୍ଠିତ ଗଲା ହୋଇ,

ଅସୁମାରୀ ସ୍କୁଲ୍, ମହାବିଦ୍ୟାଳୟ

ଓଡ଼ିଆଙ୍କ ଶିକ୍ଷା ପାଇଁ।


ଆତ୍ମ ଅଭିମାନ ଜାତି ସନମାନ

ଥିଲା ତୁମ୍ଭ ପରିଚୟ,

ଗୋରା ସରକାର ଶାସନ ବେଳେ ବି

କରିନ କାହାକୁ ଭୟ।


ମନ୍ତ୍ରୀ ଥିଲ ତୁମେ ଯେଉଁ ସମୟରେ

ଦିନେ ଗୋଟିଏ ସଭାରେ,

ଜାତୀୟ ସଙ୍ଗୀତ ଗାନ ବେଳେ ଗୋରା

କର୍ମଚାରୀ ବସିଥିଲେ।


ସମ୍ମାନ ନଦେଇ ଥିଲେ ବସିରହି

ନିଜ ଆସନରେ ସେହି

କହିଥିଲ ତୁମ୍ଭେ "ଏ ଜାତିକୁ ଯେବେ

ସମ୍ମାନ ଜାଣିନ ଦେଇ !!


ଚାଲିଯାଅ ତୁମ୍ଭେ ଛାଡି ଏହି ଦେଶ

ନକରି ଏ ପ୍ରହସନ,

ପାରଦର୍ଶି ଆମେ କରିବା ପାଇଁକି

ନିଜକୁ ନିଜେ ଶାସନ।


ଗାଁ ଗହଳିର ଓଡ଼ିଆ ହୃଦୟ

ପାରିଥିଲ ତୁମ୍ଭେ ଜିଣି,

ମରମ ଛୁଇଁବା କବିତା ତୁମ୍ଭର

ଜନ ମନ ନିଏ କିଣି।


କାଳିଜାଇ ଗୀତ ପୁରପଲ୍ଲୀରେ ତ

ସମସ୍ତଙ୍କ କଣ୍ଠୁ ଝରେ,

ହୋଇଛି ସମୃଦ୍ଧ ଓଡ଼ିଆ ସାହିତ୍ୟ

ତୁମ୍ଭର ଅବଦାନରେ।


ଲେଖି ଯାଇଅଛ ଓଡ଼ିଶାର ଅର୍ଦ୍ଧ

ଶତାବ୍ଦୀର ଇତିହାସ,

ଚିର ଦିନ ପାଇଁ ଗାଉଥିବେ ସର୍ବେ

ତୁମ୍ଭର ଅକ୍ଷୟ ଯଶ।


ହେ ଗୋଦାବରୀଶ ହେ ମହାପୁରୁଷ

ବରପୁତ୍ର ଓଡ଼ିଶାର,

ଶ୍ରଦ୍ଧାର ସୁମନ କରୁଛି ଅର୍ପଣ

ସାଦରେ ଗ୍ରହଣ କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics