ଶ୍ରବଣ କୁମାର
ଶ୍ରବଣ କୁମାର
ପିତାମାତା ମାନ ଭକ୍ତି ନିଦର୍ଶନ
ସୁପୁତ୍ର ଲଭେ ସୁଗୁଣ
ପାଏ ସେ ସମ୍ମାନ ଧନ୍ୟ ତା ଜୀବନ
ଯୁଗେ ଯୁଗେ ଶ୍ରେଷ୍ଠ ସ୍ଥାନ l
କୁହେ ରାମାୟଣ କୁମାର ଶ୍ରବଣ
ଶ୍ରେଷ୍ଠ ସୁପୁତ୍ରରେ ଗଣା
ନିଜେ ଜଳି ଜଳି ପିତୃ ସେବା କରି
ଶୁଝିଲେ ପିତୃ ପାଉଣା l
ଶାନ୍ତନୁ ଯେ ପିତା ଜ୍ଞାନବନ୍ତି ମାତା
ଦୃଷ୍ଟିହୀନ ଦୃଷ୍ଟିହୀନା
ତପସ୍ୟାରେ ରତ ଗହନ ବନେ ତ
ନ ହୋଇ ସେ ଆନମନା l
ବାଳକ ଶ୍ରବଣ ପାଏ ଦିବ୍ୟଜ୍ଞାନ
ରୋମନ୍ଥନେ ରାତ୍ର ଦିନ
ପୂର୍ବ କର୍ମ ବଳେ ଚକ୍ଷୁ ହରାଇଲେ
ପିତାମାତା ଦୁଇ ଜଣ l
ପୁଣ୍ୟ ଚାରି ଧାମ ଭ୍ରମଣେ ତା ମନ
ଧରି ସାଥେ ପିତାମାତା
ବସାଇଲେ ଭାରେ ବହିଲେ କାନ୍ଧରେ
ହୋଇ ସେ ଜଗତଜିତା l
ପଥ ଅତିକ୍ରାନ୍ତେ ଟିକେ ବିଶ୍ରାମନ୍ତେ
କାନ୍ଧରେ ବାହନ୍ତି ଭାରା
ଚାଲି ଚାଲି ପାଦେ ଭକ୍ତି ପୂଜ୍ୟ ପାଦେ
ନ ଲଭନ୍ତି ବେସା୍ହାରା l
ଗ୍ରୀଷ୍ମର ପ୍ରଭାବେ ତୃଷ୍ଣା ଅନୁଭବେ
କୁହନ୍ତି ପୁତ୍ରକୁ ଧୀରେ
ସନ୍ଧାନ କରିବୁ ଜଳ ଟୋପେ ବାବୁ
ପ୍ରାଣ ଅସ୍ଥିର ତୃଷ୍ଣାରେ l
କିଛି ପଥ କ୍ରାନ୍ତେ ପୁଷ୍କରିଣୀ ପଥେ
ଦେଖିଲେ ନିର୍ମଳ ଜଳ
ଥୋଇ ଭାର ତଳେ କଳସ ଭରିଲେ
ସେବିବାକୁ ପିତୃକୁଳ l
ରାଜା ଦଶରଥ ପାରିଧିରେ ରତ
ମୃଗ ଜଳ ପାନ ମଣି
ବିନ୍ଧି ଦେଲେ ଶର ପ୍ରାଣ ନେଲେତାର
ହଜିଲା ନୟନ ମଣି l
ପାଇ ଅଭିଶାପ ରାଜା ଦଶରଥ
ମୃତ୍ୟୁ ଲଭେ ପୁତ୍ର ଭାଳି
ଜଗତେ ଶ୍ରବଣ ହୋଇଲେ ମହାନ
ପିତା ମାତା ସେବାକରି ll
