ଶ୍ରବଣ କୁମାର
ଶ୍ରବଣ କୁମାର
ତ୍ରେତୟା ଯୁଗରେ ଋଷି ଜଣେ ଥିଲେ
ଅନ୍ଧମୁନୀ ତାଙ୍କ ନାମ,
ସତ୍ୟ ଅନ୍ଧ ସିଏ ପତ୍ନୀ ବି ଅନ୍ଧୁଣୀ
ଥିଲେ ତପସ୍ୟାରେ ମଗ୍ନ |
ଏକମାତ୍ର ପୁତ୍ର ଥିଲା ଯେ ତାଙ୍କର
ଅନ୍ଧର ଲଉଡ଼ି ସତେ,
ନିରାଶା ଜୀବନେ ସାହା ସିଏ ଏକା
ପ୍ରତିପାଦେ ଥାଏ ସାଥେ |
ଅନନ୍ୟ ଭକତି ସେବାଯତ୍ନ ଆଦି
କରେ ପିତାମାତାଙ୍କର,
ପିତାମାତା ସେବା ବ୍ରତ କରିଥିଲା
ନାମ ଶ୍ରବଣ କୁମାର |
ପିତାମାତାଙ୍କର ମନକଥା ଵୁଝି
ତୀର୍ଥ ବୁଲାଇ ସେ ନେଲା,
ଗୋଟିଏ ଭାରରେ ବସାଇ ଦୁହିଁଙ୍କୁ
ଆନନ୍ଦରେ ବୋହୁ ଥିଲା |
ଅରଣ୍ୟ ରାସ୍ତାରେ ନେଉଥିଲା ବୋହି
ରାସ୍ତା ପରେ ଅଟକିଲା,
ଶୋଷରେ ବ୍ୟାକୁଳ ପିତାମାତା ଜାଣି
ଜଳ ଖୋଜି ଚାଲିଗଲା |
ସେ କାଳେ ଅଯୋଧ୍ୟା ରାଜା ଦଶରଥ
ମୃଗୟାରୁ ଫେରୁଥିଲେ,
ଶିକାର ନପାଇ ବିରସ ମନରେ
ବୃକ୍ଷମୂଳେ ବସିଥିଲେ |
ଶୁଣିଲେ ନରେଶ ପାଖ ଝରଣାରେ
ପାଣି ପିଇବାର ଶବ୍ଦ,
ଭାବିଲେ ମନରେ ପାଣି ପିଉଛି ଯେ
ନିଶ୍ଚୟ ମୃଗ ଟେ ହେବ |
ଶବ୍ଦଭେଦି ବାଣ ମାରି ସେ ରାଜନ
ଶ୍ରବଣକୁ ବିଦ୍ଧ କଲେ,
ପାଶେ ଧାଇଁ ଯାଇ ଆହତ ଶ୍ରବଣେ
ଦେଖି ମୁଣ୍ଡେ ହାତ ଦେଲେ |
ଶ୍ରବଣ ଠାରୁ ସେ ଶୁଣିଲେ ତାହାର
ପିତାମାତାଙ୍କର କଥା,
କହିସାରି ସିଏ ମୃତ୍ୟର କୋଳରେ
ଶୋଇଗଲା ପାଇ ବ୍ୟଥା |
ମୃତ ଶ୍ରବଣକୁ ସ୍କନ୍ଧେ ଧରି ରାଜା
ଆସିଲେ ମୁନୀଙ୍କ ପାଦେ,
ଶୁଣି ପିତାମାତା ପୁତ୍ର ମୃତ୍ୟୁ କଥା
ବୁଡିଗଲେ ଅବସାଦେ |
କ୍ରୋଧେ ଜର୍ଜରିତ ହୋଇ ଅନ୍ଧ ମୁନୀ
ଦେଇଥିଲେ ଅଭିଶାପ,
ରାଜା ଦଶରଥ ପୁତ୍ରହରା ଶୋକେ
ହୋଇବେ ଦିନେ ସନ୍ତପ୍ତ |
ସେଇ ଅଭିଶାପେ ପ୍ରଭୁ ରାମଚନ୍ଦ୍ର
ଯାଇଥିଲେ ବନବାସ,
ପୁତ୍ରେ ଝୁରି ଝୁରି ରାଜା ଦଶରଥ
ବରିଥିଲେ ମୃତ୍ୟୁ ପଥ |
ଜୀବନ୍ତ ଦେବତା ପିତାମାତା ପରା
ପୂଜି ଶ୍ରବଣ କୁମାର,
ରହିଛି ସଂସାରେ ଦୃଷ୍ଟାନ୍ତ ହୋଇ ସେ
ଜୀବନ ତାର ଅମର ||
